ହିନ୍ଦୁ ପୁରାଣରେ ବଳାତ୍କାରର ଉଦାହରଣ ଦେଇ ନିଲମ୍ବିତ ହେଲେ ଏଏମୟୁ ପ୍ରଫେସର | News Room Odisha

ହିନ୍ଦୁ ପୁରାଣରେ ବଳାତ୍କାରର ଉଦାହରଣ ଦେଇ ନିଲମ୍ବିତ ହେଲେ ଏଏମୟୁ ପ୍ରଫେସର

ଅଲିଗଡ: ହିନ୍ଦୁ ପୁରାଣରେ ‘ବଳାତ୍କାର’ର ଉଦାହରଣ ଦେଇ ବିବାଦ ସୃଷ୍ଟି କରିଥିବା ଜଣେ ସହକାରୀ ପ୍ରଫେସରଙ୍କୁ ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ) ପ୍ରଶାସନ ନିଲମ୍ବିତ କରିଛି। ଏହି ଘଟଣାର ତଦନ୍ତ ପାଇଁ ଦୁଇ ସଦସ୍ୟ ବିଶିଷ୍ଟ ଏକ କମିଟି ମଧ୍ୟ ଗଠନ କରାଯାଇଛି। ହିନ୍ଦୁ ଦେବାଦେବୀଙ୍କ ଉପରେ ଏଭଳି ଆପତ୍ତିଜନକ ମନ୍ତବ୍ୟ ପାଇଁ ଅଭିଯୁକ୍ତ ପ୍ରଫେସର ବୁଧବାର ଦିନ କୁଳପତିଙ୍କୁ ଏକ ଚିଠି ଲେଖି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ।

ଏଏମୟୁ ରେଜିଷ୍ଟ୍ରାର ଅବଦୁଲ ହମିଦ କହିଛନ୍ତି ଯେ ଜବାହରଲାଲ ନେହେରୁ ମେଡିକାଲ କଲେଜର ଫରେନସିକ୍ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡ. ଜିତେନ୍ଦ୍ର କୁମାର ନିକଟରେ ତାଙ୍କ କ୍ଲାସରେ ଭାରତୀୟ ପୁରାଣରେ ବଳାତ୍କାରର ଉଦାହରଣ ସମ୍ପର୍କରେ କିଛି ଉଲ୍ଲେଖ କରିଥିବା ଅଭିଯୋଗ ହୋଇଛି, ଯାହା ହିନ୍ଦୁ ଛାତ୍ରମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ।

ସେ କହିଛନ୍ତି ଯେ ଗଣମାଧ୍ୟମ ଜରିଆରେ ଏହି ପ୍ରସଙ୍ଗ ଉଠିବା ପରେ କୁମାରଙ୍କୁ ୨୪ ଘଣ୍ଟା ମଧ୍ୟରେ ଜବାବ ଦେବାକୁ ତାଙ୍କୁ ଏକ ‘କାରଣ ଦର୍ଶାଅ ନୋଟିସ୍’ ଜାରି କରାଯାଇଛି। ପ୍ରକାଶ ଥାଉକି, ମାମଲାର ଗମ୍ଭୀରତା ଏବଂ ପ୍ରାଥମିକ ଅନୁସନ୍ଧାନରେ ତାଙ୍କ ବିରୋଧରେ ଅଭିଯୋଗ ସତ ବୋଲି ପ୍ରମାଣିତ ହେବା ପରେ ସହକାରୀ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଥିଲା। ଏଥିସହ ଘଟଣାର ତଦନ୍ତ ପାଇଁ ଦୁଇ ଜଣିଆ କମିଟି ଗଠନ କରାଯାଇଛି।