ଫିଫା ବିଶ୍ୱକପ: ଆର୍ଜେଣ୍ଟିନାର ଜବରଦସ୍ତ ପ୍ରତ୍ୟାବର୍ତ୍ତନ, ମେକ୍ସିକୋକୁ ୨-୦ ଗୋଲରେ ହରାଇଲା

ଦୋହା: ସାଉଦି ଆରବ ଠାରୁ ଅପ୍ରତ୍ୟାଶିତ ପରାଜୟ ପରେ ଆର୍ଜେଣ୍ଟିନାର ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ବିଜୟ ଖାତା ଖୋଲିଛି । ଲୁସେଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଗ୍ରୁପ୍ ‘ସି’ ମ୍ୟାଚରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ମେକ୍ସିକୋକୁ ପରାସ୍ତ କରିଛି। ଏହି ବିଜୟ ସହ ଲିଓନେଲ ମେସିଙ୍କ ଦଳ ରାଉଣ୍ଡ-୧୬ରେ ପହଞ୍ଚିବା ଆଶା ଉଜ୍ଜୀବିତ କରିଛି ।

ମ୍ୟାଚ୍ର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା। କିନ୍ତୁ କୌଣସି ଦଳ ଗୋଲ୍ ଦେଇପାରିନଥିଲେ । ଦ୍ଵିତୀୟାର୍ଦ୍ଧରେ ଆର୍ଜେଣ୍ଟିନା ଅଧିକ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ ।

ଘଣ୍ଟାଏ କାଳ ଅପେକ୍ଷା କରିବା ପରେ ଉପସ୍ଥିତ ଦର୍ଶକ ମେସି ମ୍ୟାଜିକ ଦେଖିବାକୁ ପାଇଥିଲେ । ୬୪ତମ ମିନିଟ୍‌ରେ ମେକ୍ସିକୋ ଡିଫେନ୍ସ ଲାଇନ ପର୍ଯ୍ୟନ୍ତ ପହଞ୍ଚିବା ପରେ ମେସି ଗୋଲ୍ ପାଇଁ ରଣକୌଶଳ ପ୍ରସ୍ତୁତ କରିଥିଲେ। ବାମ ପାର୍ଶ୍ଵରେ ଖେଳୁଥିବା ଆଞ୍ଜେଲ ଡି ମାରିଆ ୩ଜଣ ମେକ୍ସିକୋ ଖେଳାଳିଙ୍କୁ ଚକମା ଦେଇ ସେଣ୍ଟରରେ ପହଞ୍ଚିଥିବା ମେସିଙ୍କ ପାଖକୁ ପାସ୍ ଦେଇଥିଲେ। ମେସି ହେଳା ନକରି ଏକ ଶକ୍ତିଶାଳୀ ଗ୍ରାଉଣ୍ଡ ସଟ୍ ଜରିଆରେ ଗୋଲ କରିଥିଲେ । ମେକ୍ସିକୋ ଗୋଲ୍ କିପର ଗୋଇଲର୍ମୋ ଓଚୋଆ ଲମ୍ବା ଡାଇଭ୍ ମାରିଥିଲେ ହେଁ ମେସିଙ୍କ ସଟକୁ ଅଟକାଇବାରେ ବିଫଳ ହୋଇଥିଲେ ।

ସ୍କୋରକୁ ବରାବର କରିବା ପାଇଁ ମେକ୍ସିକୋ ପାଲଟା ଆକ୍ରମଣ କରିଥିଲା । କିନ୍ତୁ ଆର୍ଜେଣ୍ଟିନା ରକ୍ଷଣଭାଗ ମେକ୍ସିକୋକୁ ସୁଯୋଗ ଦେଇନଥିଲେ । ୮୨ତମ ମିନିଟରେ ଆର୍ଜେଣ୍ଟିନାକୁ ଏକ କର୍ଣ୍ଣର
ମିଳିଥିଲା । କର୍ଣ୍ଣାରରୁ ମେସିଙ୍କ ନିକଟକୁ ବଲ୍ ଆସିଥିଲା । ସେ ଏଞ୍ଜେଲୋ ଫର୍ଣ୍ଣାଣ୍ଡେଜଙ୍କ ନିକଟକୁ ପାସ୍ ଦେଇଥିଲେ । ଏଞ୍ଜାଲୋ ବାମ କୋଣରୁ ପୋଷ୍ଟର ଡାହଣ କୋଣକୁ ବଲ୍ ମାରି ଗୋଲ୍ କରିଥିଲେ। ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ଆଗେଇଥିଲା। ପରବର୍ତ୍ତୀ ୧୫ ମିନିଟ୍ ମଧ୍ଯରେ ଗୋଲ୍ ସମ୍ଭବ ହୋଇ ନଥିଲା। ଏହି ମହତ୍ତ୍ୱପୂର୍ଣ୍ଣ ବିଜୟ ସହ ଆର୍ଜେଣ୍ଟିନା ୩ ପଏଣ୍ଟ ହାସଲ କରିଛି। ଗ୍ରୁପ୍-ସି ପଏଣ୍ଟ ତାଲିକାରେ ଦଳ ଦ୍ଵିତୀୟକୁ ଉଠିଛି। ପୋଲାଣ୍ଡ ୪ ପଏଣ୍ଟ ସହ ଶୀର୍ଷରେ ରହିଛି।

Comments are closed.