କେରଳର ପଲ୍ଲକଡ ପର୍ବତରେ ଦୁଇଦିନ ଧରି ଫସିଥିବା ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କଲା ସେନା | News Room Odisha

କେରଳର ପଲ୍ଲକଡ ପର୍ବତରେ ଦୁଇଦିନ ଧରି ଫସିଥିବା ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କଲା ସେନା

ପାଲକ୍କଡ: କେରଳର ପଲକ୍କଡର ମାଲାମପୁଜା ପର୍ବତର ଏକ ଖାଲରେ ଦୁଇ ଦିନ ଧରି ଫସି ରହିଥିବା ଜଣେ ଯୁବକଙ୍କୁ ସେନା ଉଦ୍ଧାର କରିଛି। ଏହି ଯୁବକ ସୋମବାର ଠାରୁ ସେଠାରେ ବିନା ଖାଦ୍ୟ ଓ ପାଣିରେ ଫସି ରହିଥିଲେ । ଏହି ଯୁବକକୁ ବଞ୍ଚାଇବା ପାଇଁ ଭାରତୀୟ ସେନା ଏକ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଥିଲା।

ଆଜି ଭୋର୍ ୫:୪୫ରୁ ବାବୁ ନାମକ ଏହି ଯୁବକଙ୍କୁ ଉଦ୍ଧାର ପାଇଁ ଅପରେସନ ଆରମ୍ଭ କରିଥିଲା ସେନା । ପ୍ରାୟ ତିନି ଘଣ୍ଟାର ଅପରେସନ ପରେ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏଥିପାଇଁ ଭାରତୀୟ ସେନାକୁ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ୍ ଧନ୍ୟବାଦ ଜଣାଇଛନ୍ତି ।

ଯୁବକ ଜଣକ ସୋମବାର ନିଜର ଦୁଇ ସାଙ୍ଗଙ୍କ ସହ ମାଲାମପୁଜା ପର୍ବତକୁ ଟ୍ରେକିଂରେ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା । ସେ ପର୍ବତର ଏକ ଛୋଟିଆ କୋରଡରେ ଫସି ଯାଇଥିଲେ ।

ମୁଖ୍ୟମନ୍ତ୍ରୀ ବିଜୟନ୍ ଏହି ଘଟଣାରେ ହସ୍ତକ୍ଷେପ କରି ଯୁବକଙ୍କୁ ବଞ୍ଚାଇବା ପାଇଁ ସେନାର ସାହାଯ୍ୟ ଲୋଡିଥିଲେ।

ରାତିରେ ହେଲିକପ୍ଟର ଯୋଗେ ଯାତ୍ରା କରିବା ସମ୍ଭବ ନଥିବାରୁ ପର୍ବତାରୋହଣ ଏବଂ ଉଦ୍ଧାର କାର୍ଯ୍ୟରେ ବିଶେଷଜ୍ଞ ଦଳମାନେ ସଡ଼କ ପଥରେ ଯାତ୍ରା କରିବେ ବୋଲି ସିଏମ୍ଓ ବିଜ୍ଞପ୍ତିରେ କୁହାଯାଇଥିଲା। ଟିଭି ଭିଜୁଆଲ୍ ଅନୁଯାୟୀ, ଉଦ୍ଧାର କାର୍ଯ୍ୟରେ ତଟରକ୍ଷୀ ବାହିନୀର ଉଦ୍ୟମ ବିଫଳ ହେବା ପରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ୍) ଦଳ ମଧ୍ୟ ଯୁବକମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ସେମାନେ ମଧ୍ୟ ବିଫଳ ହୋଇଥିଲେ। ପରେ ରାଜ୍ୟ ସରକାର ସେନାର ସହାୟତା ଲୋଡ଼ିଥିଲେ ।

ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ଏକ ମିଡିଆ ଚ୍ୟାନେଲକୁ କହିଛନ୍ତି ଯେ ଏଠାରେ ଦିନରେ ଅଧିକ ଗରମ ହେଉଥିବାବେଳେ ସନ୍ଧ୍ୟା ଏବଂ ରାତିରେ ଜୋରରେ ପବନ ବହିବା ସହ ପ୍ରବଳ ଥଣ୍ଡା ଅନୁଭୂତ ହୁଏ। ଏହାଛଡ଼ା ଏଠାରେ ବନ୍ୟଜନ୍ତୁଙ୍କ ବିପଦ ମଧ୍ୟ ରହିଛି, ଯାହା ଉଦ୍ଧାର କାର୍ଯ୍ୟ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା |