ପୋଲ ଭୁଶୁଡ଼ିବା ଘଟଣାକୁ ‘ଦୈବୀ କୃତ’ କହିଲେ ଗିରଫ ମ୍ୟାନେଜର

ମୋର୍ବି: ଗୁଜୁରାଟ ପୋଲ ଭୁଶୁଡ଼ିବା ମାମଲାରେ ଗିରଫ ଜଣେ‌ ଅଭିଯୁକ୍ତ କୋର୍ଟରେ ଅଜବ ସଫେଇ ଦେଇଛନ୍ତି । ଏହାକୁ ସେ ‘ଆକ୍ଟ ଅଫ୍ ଗଡ୍’ ବା ଦୈବୀ କୃତ ଥିଲା ବୋଲି କୋର୍ଟକୁ କହିଛନ୍ତି । ୧୫୦ ବର୍ଷ ପୁରୁଣା ଝୁଲାପୋଲର ମରାମତି କାର୍ଯ୍ୟ କରିଥିବା ଓରେଭା କମ୍ପାନୀର ମ୍ୟାନେଜର ଦୀପକ ପାରେଖ ଏଭଳି ମନ୍ତବ୍ୟ ଦେଇଛନ୍ତି । ପୋଲ ଘଟଣାର ଦିନକ ପରେ ଏହି କମ୍ପାନୀର ଗିରଫ ୯ ଜଣଙ୍କ ମଧ୍ୟରୁ ସେ ଅନ୍ୟତମ। ସେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏମ.ଜେ ଖାନଙ୍କୁ କହିଛନ୍ତି ଯେ ଭଗବାନଙ୍କ ଇଚ୍ଛା ଯୋଗୁଁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଛି।

ଅନ୍ୟପକ୍ଷରେ ମୋର୍ବି ଡିଏସପି ପିଏ ​​ଜାଲା କୋର୍ଟଙ୍କୁ କହିଛନ୍ତି, ପୋଲର କେବୁଲରେ କଳଙ୍କି ଲାଗି ଯାଇଥିଲା । ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କମ୍ପାନୀ ଏହାକୁ ବଦଳାଇ ନଥିଲା । ସରକାରୀ ଅନୁମୋଦନ କିମ୍ବା ଫିଟନେସ୍ ସାର୍ଟିଫିକେଟ ବିନା ୨୬ ଅକ୍ଟୋବରରେ ଏହି ପୋଲକୁ ଜନସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ରକ୍ଷଣାବେକ୍ଷଣ ଏବଂ ମରାମତିର ଏକ ଅଂଶ ଭାବରେ କେବଳ ପ୍ଲାଟଫର୍ମକୁ ବଦଳାଇ ଦିଆଯାଇଥିବା ପୋଲିସ ଅଧିକାରୀ କହିଛନ୍ତି। ପୋଲର କେବଳ ଗୋଟିଏ କେବୁଲ ଉପରେ ଥିଲା ଏବଂ କେବୁଲର କୌଣସି ଗ୍ରିସିଙ୍ଗ୍ ମଧ୍ୟ କରାଯାଇ ନଥିଲା | ଯେଉଁଠାରୁ କେବୁଲ ଭାଙ୍ଗିଥିଲା ସେଠି କଳଙ୍କି ଲାଗି ଦୁର୍ବଳ ହୋଇଯାଇଥିଲା | ଯଦି କେବୁଲ ଠିକ୍ ଥାଆନ୍ତା ତେବେ ଏହି ଘଟଣା ଘଟିନଥାନ୍ତା |

Comments are closed.