ଅଷ୍ଟ୍ରେଲିଆନ ଓପନ: ଆରିନା ସାବାଲେଙ୍କା ମହିଳା ସିଙ୍ଗଲ୍ସ ଚାମ୍ପିୟନ

ମେଲବୋର୍ଣ୍ଣ: କାଜାଖସ୍ତାନର ଏଲିନା ରାଇବାକିନାଙ୍କୁ ହରାଇ ବେଲାଋଷର ଆରିନା ସାବାଲେଙ୍କା ବର୍ଷର ପ୍ରଥମ ଟେନିସ୍ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନର ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଏହା ୨୪ ବର୍ଷୀୟା ସାବଲେଙ୍କାଙ୍କ ପ୍ରଥମ ସିଙ୍ଗଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଓ କ୍ୟାରିୟରର ମୋଟ ତୃତୀୟ ଗ୍ରାଣ୍ଡସ୍ଲାମ ଟ୍ରଫି । ଏଠାରେ ପ୍ରଥମ ଥର ଫାଇନାଲ ଖେଳୁଥିବା ସାବଲେଙ୍କା ୪-୬, ୬-୩, ୬-୪ ସେଟରେ ରାଇବାକିନାଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି । ପ୍ରଥମ ସେଟ୍ ହରାଇବା ପରେ ସାବାଲେଙ୍କା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଟାଇଟଲ୍ ଜିତିଥିଲେ। ଏହି ଫାଇନାଲ ମ୍ୟାଚ୍ ୨ ଘଣ୍ଟା ୨୮ ମିନିଟ୍ ଧରି ଚାଲିଥିଲା ।

ୱିମ୍ବଲଡନ୍ ଚାମ୍ପିୟନ୍ ଆରିନା ରାଇବାକିନା ମ୍ୟାଚର ପ୍ରଥମ ସେଟ୍ ୬-୪ରେ ଜିତିଥିଲେ | କିନ୍ତୁ ସାବଲେଙ୍କା ଦ୍ୱିତୀୟ ସେଟକୁ ୬-୩ରେ ଜିତି ସ୍କୋରକୁ ବରାବର କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ | ଏହାପରେ ସେ ତୃତୀୟ ସେଟ୍ ମଧ୍ୟ ଜିତି ଟାଇଟଲ ହାତେଇଥିଲେ । ସାବଲେଙ୍କା ୪-୬, ୬-୩, ୬-୪ ସେଟରେ ଜିତିଥିଲେ | ଶେଷ ସେଟ୍ ଜିତିବା ପାଇଁ ପଞ୍ଚମ ସିଡ୍ ଖେଳାଳିଙ୍କୁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା | ରାଇବାକିନା ଚାରୋଟି ମ୍ୟାଚ୍ ପଏଣ୍ଟ ବଞ୍ଚାଇ ଥିଲେ କିନ୍ତୁ ଶେଷରେ ସାବଲେଙ୍କା ବାଜି ମାରି ନେଇଥିଲେ ।

ଅଷ୍ଟ୍ରେଲିଆନ ଓପନ୍ ୨୦୨୩ରେ ଆରିନା ସାବାଲେଙ୍କା ମାତ୍ର ଗୋଟିଏ ସେଟ୍ ହରାଇଥିଲେ | ତାହା ମଧ୍ୟ ଫାଇନାଲ୍ ମ୍ୟାଚ୍ରେ । ଏହାପୂର୍ବରୁ ସେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଦୁଇଟି ସେଟରେ ଜିତିଥିଲେ। ସେମିଫାଇନାଲରେ ସାବାଲେଙ୍କା ପୋଲାଣ୍ଡର ମାଗଡା ଲିନେଟଙ୍କୁ ପରାସ୍ତ କରିଥିଲେ । ଗତ ବର୍ଷ ସାବଲେଙ୍କା ୟୁଏସ୍ ଓପନର ସେମିଫାଇନାଲରେ ପ୍ରବେଶ କରିଥିଲେ, କିନ୍ତୁ ସେ ହାରି ଯାଇଥିଲେ।

Comments are closed.