ଲଖିମପୁର ଖେରୀ ମାମଲା: ମନ୍ତ୍ରୀପୁଅଙ୍କ ଜାମିନ ଆବେଦନ ଖାରଜ | News Room Odisha

ଲଖିମପୁର ଖେରୀ ମାମଲା: ମନ୍ତ୍ରୀପୁଅଙ୍କ ଜାମିନ ଆବେଦନ ଖାରଜ

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ଖାରଜ କରିଦେଇଛନ୍ତି।

ଆଶିଷ ମିଶ୍ରଙ୍କ ଜାମିନ ନାମଞ୍ଜୁର କରି ଜଷ୍ଟିସ୍ କ୍ରିଷ୍ଣା ପହଲଙ୍କ ଖଣ୍ଡପୀଠ କହିଛନ୍ତି ଯେ ଆଶିଷ ମିଶ୍ର ରାଜନୈତିକ ସ୍ତରରେ ଏତେ ପ୍ରଭାବଶାଳୀ ଯେ ସେ ଜେଲରୁ ବାହାରିଲେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ସମ୍ଭାବନା ରହିଛି ।

ଫେବୃଆରୀ ୧୦ରେ ଲକ୍ଷ୍ନୌ ବେଞ୍ଚ୍ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ । ତେବେ ପରେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ହାଇକୋର୍ଟ ଏହାର ପୁନର୍ବିଚାର କରିବାକୁ କହିଥିଲେ। ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ପୁଣିଥରେ ସରେଣ୍ଡର କରି ଦେଇଥିଲେ ।

ଆଶିଷ ମିଶ୍ର ଗତବର୍ଷ ଅକ୍ଟୋବରରେ ଲଖିମପୁର ଖେରୀରେ ବିକ୍ଷୋଭରତ ଚାରିଜଣ ଚାଷୀ ଏବଂ ଜଣେ ସାମ୍ବାଦିକଙ୍କୁ ଗାଡ଼ି ମଡାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଘଟିଥିବା ହିଂସାରେ ଦୁଇ ଜଣ ବିଜେପି କର୍ମୀଙ୍କ ସହ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ହିଂସା ମାମଲାରେ ଦୁଇଟି ମାମଲା ରୁଜୁ ହୋଇଥିଲା।