ହକି ବିଶ୍ୱକପ୍: ବୃହତ୍ ବିଜୟରୁ ଅଷ୍ଟ୍ରେଲିଆର ଅଭିଯାନ, ଫ୍ରାନ୍ସକୁ ୮-୦ରେ ହରାଇଲା

ଭୁବନେଶ୍ୱର: ତିନି ଥର ଚାମ୍ପିୟନ୍ ଅଷ୍ଟ୍ରେଲିଆ ବଡ଼ ବିଜୟ ସହ ହକି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଗ୍ରୁପ୍-ଏ’ର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ହରାଇଛି। ଅଷ୍ଟ୍ରେଲିଆ ପକ୍ଷରୁ କ୍ରେଗ୍ ଟମ୍ ଏହି ବିଶ୍ବକପର ପ୍ରଥମ ଖେଳାଳି ଭାବେ ହ୍ୟାଟ୍ରିକ ଗୋଲ୍ କରିଛନ୍ତି । ଏହି ବିଜୟ ସହିତ ଦଳ ତିନି ପଏଣ୍ଟ ଏବଂ ଗୋଲ୍ ବ୍ୟବଧାନରେ ଆର୍ଜେଣ୍ଟିନାକୁ ପଛରେ ପକାଇ ଗ୍ରୁପ୍-ଏର ଶୀର୍ଷରେ ପହଞ୍ଚିଛି। ଏହା ପୂର୍ବରୁ ଗ୍ରୁପ୍-ଏର ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ୧-୦ରେ ପରାସ୍ତ କରିଥିଲା।

ଅଷ୍ଟ୍ରେଲିଆ ପାଇଁ ଅଷ୍ଟମ ମିନିଟରେ ମ୍ୟାଚର ପ୍ରଥମ ଗୋଲ କ୍ରେଗ ଟମ୍ ସ୍କୋର କରିଥିଲେ। ଏହା ପରେ ଓଗିଲଭି ଫ୍ଲିନ୍ ୨୬ତମ ମିନିଟରେ ଗୋଲ୍ କରି ଦଳର ଅଗ୍ରଣୀ ଦ୍ଵିଗୁଣିତ କରିଥିଲେ | ହେଓ୍ବାର୍ଡ ଜେରେମି ୨୬ ଓ ୨୮ତମ ମିନିଟରେ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ କରିଥିବା ବେଳେ ହାଫ୍ ଟାଇମ୍ ସୁଦ୍ଧା ଅଷ୍ଟ୍ରେଲିଆ ୪-୦ରେ ଅଗ୍ରଣୀ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଅଷ୍ଟ୍ରେଲିଆ ଆଉ ୪ଟି ଗୋଲ୍ କରିଥିଲା । ୩୧ତମ ଓ ୪୪ତମ ମିନିଟରେ କ୍ରେଗ ଟମ୍, ୩୮ତମ ମିନିଟରେ ହେଓ୍ବାର୍ଡ ଏବଂ ୫୩ତମ ମିନିଟରେ ବ୍ୟାକହମ ଟମଙ୍କ ଗୋଲ ବଳରେ ଅଷ୍ଟ୍ରେଲିଆ ୮-୦ରେ ବିଜୟୀ ହୋଇଥିଲା ।

Comments are closed.