ଭାରତ ୨୧ ରନରେ ହାରିଲା, ଅଷ୍ଟ୍ରେଲିଆ ୨-୧ରେ ସିରିଜ୍ ବିଜୟୀ

ଚେନ୍ନାଇ: ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ବୁଧବାର ଏଠାରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଭାରତକୁ ୨୧ ରନରେ ହରାଇ ଦେଇଛି । ଏଥିସହ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି । ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ଅଷ୍ଟ୍ରେଲିଆ ଦିନିକିଆରେ ନେଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୪୯ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୯ ରନ୍ କରିଥିଲା । ଏହାର ଜବାବରେ ଭାରତ ୪୯.୧ ଓଭରରେ ୨୪୮ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଭାରତ ତରଫରୁ ବିରାଟ କୋହଲିଙ୍କୁ ଛାଡ଼ି କେହି ୫୦ ରନ୍ ଟପି ପାରିନଥିଲେ । କୋହଲି ସର୍ବାଧିକ ୫୪ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୦, ଶୁଭମାନ ଗିଲ୍ ୩୭, ରାହୁଲ ୩୨, କ୍ୟାପଟେନ୍ ରୋହିତ ୩୦ ରନ୍ କରିଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମ ଜାରି ରହିଥିଲା । ସେ ଆଜିର ମ୍ୟାଚରେ ମଧ୍ୟ ଖାତା ଖୋଲିନପାରି ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ପ୍ରଥମ ଭାରତୀୟ ଭାବେ ଯାଦବ ଏକ ସିରିଜର ସବୁ ମ୍ୟାଚରେ ପ୍ରଥମ ବଲରେ ଡକ୍ ଆଉଟ୍ ହୋଇ ଏକ ଅଲୋଡ଼ ରେକର୍ଡ କରିଥିଲେ । ଅଷ୍ଟ୍ରେଲିଆ ତରଫରୁ ସ୍ପିନର ଆଡାମ୍ ଜାମ୍ପା ୪ଟି ୱିକେଟ୍ ନେଇଥିବା ବେଳେ ତାଙ୍କ ସାଥୀ ସ୍ପିନର ଆଷ୍ଟନ ଅଗର ୨ଟି ୱିକେଟ୍ ନେଇଥିଲେ ।

ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦ୍ରୁତ ଆରମ୍ଭ କରିଥିଲା। ଆଜି ଡାଭିଡ ୱାର୍ଣ୍ଣର ଖେଳୁଥିଲେ ମଧ୍ୟ ପୁରୁଣା ଯୋଡ଼ି ଟ୍ରାଭିସ ହେଡ ଓ ମିଚେଲ ମାର୍ଶ ଅଷ୍ଟ୍ରେଲିଆ ପାଇଁ ଇନିଂସ ଆରମ୍ଭ କରିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ୧୦ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୬୦ ପାର କରି ଦେଇଥିଲେ।

ତେବେ ଦଳୀୟ ସ୍କୋର ୬୮ ଥିବା ବେଳେ ଅଷ୍ଟ୍ରେଲିଆକୁ ଲାଗିଥିଲା ପ୍ରଥମ ଝଟକା। ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପ୍ରଥମ ଓଭରରେ ୩୩ ରନ କରିଥିବା ହେଡଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ନିଜର ଦ୍ୱିତୀୟ ଉଭୟରେ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ କଙ୍ଗାରୁ ଟିମର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ପୂର୍ବ ଦୁଇଟି ଦିନିକିଆରେ ଅର୍ଦ୍ଧଶତକ ସହ ଆଜି ଦମଦାର ବ୍ୟାଟିଂ କରୁଥିବା ମିଚେଲ ମାର୍ଶ (୪୭)ଙ୍କ ୱିକେଟ ମଧ୍ୟ ନେଇ ପାଣ୍ଡ୍ୟା ଭାରତକୁ ଆଶ୍ବସ୍ତି ଦେଇଥିଲେ।

୮୫ ରନରେ ୩ ୱିକେଟ ହରାଇଥିବା ଅଷ୍ଟ୍ରେଲିଆକୁ ମାର୍ନସ ଲାବୁଶେନ ଓ ୱାର୍ଣ୍ଣର ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୪୦ ରନ ଯୋଡ଼ିଥିଲେ। ଏତିକି ବେଳେ ୨୩ ରନ କରିଥିବା ୱାର୍ଣ୍ଣରଙ୍କୁ କୁଲଦୀପ ଯାଦବ ଆଉଟ କରିଥିଲେ। ୧୩୮ ରନରେ କୁଲଦୀପ ୨୮ ରନ କରିଥିବା ଲାବୁଶେନଙ୍କ ୱିକେଟ ନେଇଥିଲେ।
ମାର୍କସ ଷ୍ଟୋଇନିସ ଓ ଆଲେକ୍ସ କେରୀ ଏହାପରେ ମଙ୍ଗ ସମ୍ଭାଳିଥିଲେ। ସେମାନେ ଦଳୀୟ ସ୍କୋରକୁ ୧୩୮ରୁ ନେଇ ୧୯୬ରେ ପହଞ୍ଚାଇଥିଲେ। ଲାଗୁଥିଲା ଉଭୟ ଭଲ ଲୟରେ ଅଛନ୍ତି ଓ ଅଷ୍ଟ୍ରେଲିଆକୁ ଏମାନେ ବଡ଼ ସ୍କୋରରେ ପହଞ୍ଚାଇବେ। କିନ୍ତୁ ଅକ୍ଷର ପଟେଲ ୨୫ ରନ କରିଥିବା ଷ୍ଟୋଇନିସଙ୍କୁ ଆଉଟ କରି ଦେଇଥିଲେ।

କେରୀ(୩୮) କୁଲଦୀପଙ୍କ ତୃତୀୟ ଶିକାର ବନିଥିଲେ। ଶେଷ ଭାଗରେ ଶେନ ଆବୋଟ କିଛି ବଡ଼ ଖେଳିବା ସହ ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଅକ୍ଷର ନେଇଥିଲେ। ଅଷ୍ଟନ ଆଗର(୧୭)ଙ୍କୁ ଆଉଟ କରିଥିଲେ ମହମ୍ମଦ ସିରାଜ । ହେଲେ ଶେଷ ୱିକେଟ ପାଇଁ ମିଚେଲ ଷ୍ଟାର୍କ ଓ ଆଡାମ ଜାମ୍ପା ଦମଦାର ବ୍ୟାଟିଂ କରିଥିଲେ। ଉଭୟ ଶେଷ ୱିକେଟ ପାଇଁ ୨୨ ରନ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ତେବେ ଦଳୀୟ ସ୍କୋର ୨୬୯ ରନ ଥିବା ବେଳେ ମହମ୍ମଦ ସିରାଜ ୧୦ ରନ କରିଥିବା ଷ୍ଟାର୍କଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସ ଶେଷ କରିଥିଲେ। ଭାରତ ପକ୍ଷରୁ ପାଣ୍ଡ୍ୟା ଓ କୁଲଦୀପ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଓ ସିରାଜ ୨-୨ ଓ୍ବିକେଟ୍ ପାଇଥିଲେ ।

Comments are closed.