ଗଲ୍ ଟେଷ୍ଟ: ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ଗଲ୍: ଗଲରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଘରୋଇ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇଛି । ଅଷ୍ଟ୍ରେଲିଆ ସମ୍ମୁଖରେ ବିଜୟ ପାଇଁ ଶ୍ରୀଲଙ୍କା ମାତ୍ର ପାଞ୍ଚ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହାକୁ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସର ପ୍ରଥମ ଓଭରରେ ହିଁ ହାସଲ କରିନେଇଥିଲା । ଏହି ବଡ଼ ବିଜୟ ସହ ଅଷ୍ଟ୍ରେଲିଆ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଅଷ୍ଟ୍ରେଲିଆ ପାଇଁ ମ୍ୟାଚର ହିରୋ ସାଜିଥିଲେ ଭେଟେରାନ୍ ସ୍ପିନ୍ ବୋଲର ନାଥନ୍ ଲିଅନ୍ । ସେ ଏହି ଟେଷ୍ଟରେ ୯ ୱିକେଟ୍ ନେଇଛନ୍ତି । ଏହାଛଡ଼ା ଦ୍ୱିତୀୟ ଇନିଂସରେ ଟ୍ରାଭିସ୍ ହେଡ୍ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଚାରିଟି ୱିକେଟ୍ ନେଇଥିଲେ।

ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ୍ ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ମାତ୍ର ୧୧୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ବି ହାସଲ କରିପାରି ନଥିଲେ। ଶ୍ରୀଲଙ୍କା ମାତ୍ର ୧୮ ରନ୍ ମଧ୍ୟରେ ଶେଷ ୬ ୱିକେଟ୍ ହରାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ଇନିଂସରେ ଲିଅନ୍ ଏବଂ ହେଡ୍ ପ୍ରତ୍ୟେକ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ।

ଶ୍ରୀଲଙ୍କା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୧୨ ରନ୍ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୩୨୧ ରନ୍ କରି ପ୍ରଥମ ଇନିଂସ୍ ଆଧାରରେ ୧୦୯ ରନର ବୃହତ ଅଗ୍ରଣୀ ହାସଲ କରିଥିଲା |

Comments are closed.