ଘରୋଇ ପିଚ୍‌ରେ ଆଝାରୁଦ୍ଦିନ ଆଉଟ୍, ୧୬ ହଜାର ଭୋଟରେ ହାରିଲେ

ହାଇଦ୍ରାବାଦ: ତେଲେଙ୍ଗାନା ନିର୍ବାଚନରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ଲାଗିଛି ଝଟକା । ସେ ପ୍ରଥମ ଥର ପାଇଁ ନିଜ ଘରୋଇ ପିଚ୍‌ ତେଲେଙ୍ଗାନାରେ ନିର୍ବାଚନ ଲଢ଼ୁଥିଲେ। ହେଲେ ଆଝାରୁଦ୍ଦିନଙ୍କୁ ସହଜରେ ଷ୍ଟମ୍ପ୍ ଆଉଟ୍ କରିଦେଇଛନ୍ତି ବିଆରଏସ୍ ପ୍ରାର୍ଥୀ ।

ହାଇଦ୍ରାବାଦର ଜୁବୁଲି ହିଲ୍ସ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଆଝାରୁଦ୍ଦିନ ବିଆରଏସ୍ ର ମାଗନ୍ତୀ ଗୋପୀନାଥଙ୍କ ଠାରୁ ୧୬,୩୩୭ ଭୋଟରେ ହାରିଯାଇଛନ୍ତି ।

ଗୋପୀନାଥଙ୍କୁ ୮୦,୫୪୯ ଭୋଟ୍ ମିଳିଥିବାବେଳେ ନିଜ କ୍ରିକେଟ୍ କ୍ୟାରିୟରର ସ୍ବର୍ଣ୍ଣିମ ଦିନରେ ଷ୍ଟାଇଲିସ୍ ବ୍ୟାଟିଂ ଏବଂ ଫାଷ୍ଟ ଫିଲ୍ଡିଂ ପାଇଁ ଜଣାଶୁଣା ଆଝାରୁଦ୍ଦିନ ୬୪,୨୬୨ ଭୋଟ୍ ପାଇଥିଲେ ।

ଭାରତୀୟ ଜନତା ପାର୍ଟିର ଲଙ୍କାଲା ଦୀପକ ରେଡ୍ଡୀ ୨୫,୮୬୬ ଭୋଟ ମିଳିଥିଲା।

ହାଇଦ୍ରାବାଦର ବାସିନ୍ଦା ଆଝାରୁଦ୍ଦିନ ୨୦୦୯ରେ କଂଗ୍ରେସ ଟିକେଟରେ ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନରୁ ନିର୍ବାଚନ ଜିତି ନିଜ ରାଜନୈତିକ ଇନିଂସରେ ଧମାକାଦାର ଆରମ୍ଭ କରିଥିଲେ।

ତେବେ ସେ ୨୦୧୪ରେ ରାଜସ୍ଥାନର ଟୋଙ୍କ-ସୱାଇ ମାଧେପୁରରୁ ଲୋକସଭା ନିର୍ବାଚନ ହାରି ଯାଇଥିଲେ। ସମ୍ପ୍ରତି ସେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିଆରପିସି) ର କାର୍ଯ୍ୟକାରୀ ସଭାପତି ଅଛନ୍ତି ।

Comments are closed.