ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦାବିଦାର ବାବା ବାଲକନାଥଙ୍କ ଲୋକସଭା ସାଂସଦ ପଦରୁ ଇସ୍ତଫା | News Room Odisha

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦାବିଦାର ବାବା ବାଲକନାଥଙ୍କ ଲୋକସଭା ସାଂସଦ ପଦରୁ ଇସ୍ତଫା

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଥିବା ବାବା ବାଲକନାଥ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ରାଜସ୍ଥାନ ବିଧାନସଭା ନିର୍ବାଚନରେ ବାଲକନାଥ ଅଲୱରର ତିଜାରା ଆସନରୁ ଲଢ଼ିଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଇମ୍ରାନ ଖାନଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ଅନ୍ୟ ୧୦ ବିଜେପି ସାଂସଦ ଗତକାଲି ଲୋକସଭାରୁ ଇସ୍ତଫା ଦେଇଥିଲେ ।

ମହନ୍ତ ବାଲକନାଥ ହେଉଛନ୍ତି ଯୋଗୀ ବାବା ମସ୍ତନାଥ ବିଶ୍ୱବିଦ୍ୟାଳୟ (ବିଏମୟୁ)ର କୁଳପତି । ସେ ନାଥ ସମ୍ପ୍ରଦାୟର ଅଷ୍ଟମ ମହନ୍ତ । ମହନ୍ତ ଚାନ୍ଦନାଥ ୨୯ ଜୁଲାଇ ୨୦୧୬ରେ ଏକ ଉତ୍ସବରେ ବାଲକନାଥଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ । ଉକ୍ତ ଉତ୍ସବରେ ଉତ୍ତର ପ୍ରଦେଶର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବାବା ରାମଦେବ ମଧ୍ୟ ଯୋଗ ଦେଇଥିଲେ।

ବାଲକନାଥଙ୍କ ଜନ୍ମ ବହରୋଡ ତହସିଲର କୋହରାନା ଗାଁର ଏକ ଯଦୁବଂଶୀ ହିନ୍ଦୁ ପରିବାରରେ ହୋଇଥିଲା । ସେ ୬ ବର୍ଷ ବୟସରେ ସନ୍ନ୍ୟାସୀ ଜୀବନଯାପନ କରିବାକୁ ପଣ କରି ଘର ଛାଡ଼ି ଆଶ୍ରମକୁ ଚାଲିଯାଇଥିଲେ ।