ଫର୍ମ ପାଇଁ ସଂଘର୍ଷ କରୁଥିବା କୋହଲିଙ୍କୁ ପାକ୍ ଅଧିନାୟକ ବାବର ଆଜମଙ୍କ ସମର୍ଥନ, କହିଲେ ଏମିତି

ନୂଆଦିଲ୍ଲୀ: ଖରାପ ଫର୍ମ ପାଇଁ ସଂଘର୍ଷ କରୁଥିବା ବିରାଟ କୋହଲିଙ୍କୁ ପାକିସ୍ତାନ ଅଧିନାୟକ ବାବର ଆଜମ ସମର୍ଥନ ଜଣାଇଛନ୍ତି । ବାବର ଆଜମ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ବିରାଟ କୋହଲିଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି।

ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, “ଏହି ସମୟ ମଧ୍ୟ ବିତିଯିବ। ଦୃଢ ରୁହ।”

ଆଜିର ଯୁଗରେ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଏ । କୋହଲିଙ୍କ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛନ୍ତି ବାବର।

୨୦୧୯ ରେ ଯେତେବେଳେ ଜଣେ ସାମ୍ବାଦିକ ଏକ ଚମତ୍କାର ଇନିଂସ ପରେ ବାବରଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରିଥିଲେ, ଏହି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ କହିଥିଲେ ଯେ ଏହା ଠିକ୍ ନୁହେଁ, ମୁଁ ଜଣେ ଛୋଟ ଖେଳାଳି ଓ କୋହଲି ଜଣେ କିମ୍ବଦନ୍ତୀ ।

୩୩ ବର୍ଷୀୟ କୋହଲି ଏହି ସମୟ ମଧ୍ୟରେ ୧୦୦ରୁ ଅଧିକ ଇନିଂସ ଖେଳିଛନ୍ତି । ସେଥିମଧ୍ୟରେ ୧୭ଟି ଟେଷ୍ଟ, ୨୧ଟି ଦିନିକିଆ, ୨୫ ଟି-୨୦ ଏବଂ ୩୭ଟି ଆଇପିଏଲ ମ୍ୟାଚ୍ ରହିଛି । କିନ୍ତୁ ସେ ଏହି ମ୍ୟାଚ୍ ଗୁଡ଼ିକରେ ଗୋଟିଏ ବି ଶତକ କରିପାରି ନାହାଁନ୍ତି ।

କୋହଲିଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୭୦ଟି ଶତକ ରହିଛି, ଯାହା କୌଣସି କମ୍ ଉପଲବ୍ଧି ନୁହେଁ।
କିନ୍ତୁ ତାଙ୍କ କ୍ୟାରିୟରର ୭୧ତମ ଅନ୍ତର୍ଜାତୀୟ ଶତକ ସତେ ଯେପରି ସେ ତାଙ୍କ ପାଇଁ ଅପହଞ୍ଚ ପାଲଟିଛି | ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ୍ ଟେଷ୍ଟ ଠାରୁ ଆରମ୍ଭ କରି ପ୍ରଥମ ଦିନିକିଆ ପର୍ଯ୍ୟନ୍ତ କୋହଲି ବଡ଼ ସ୍କୋର କରିପାରି ନାହାଁନ୍ତି । ତାଙ୍କର ଏଭଳି ଲଗାତାର ବିଫଳତା ପରେ ଦଳରେ ତାଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି।

ଏଜବାଷ୍ଟନ୍ ଟେଷ୍ଟ ପୂର୍ବରୁ ଭାରତ ଲିସେଷ୍ଟେରେଶର୍ କାଉଣ୍ଟି ବିପକ୍ଷରେ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳିଥିଲା, ଯେଉଁଥିରେ କୋହଲିଙ୍କୁ ତାଙ୍କ ରଙ୍ଗରେ ଦେଖିବାକୁ ମିଳିଥିଲା । ସେହି ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ ୩୩ ରନ୍ କରିବା ପରେ କୋହଲି ଦ୍ୱିତୀୟ ଇନିଂସରେ ୬୭ ରନ୍ କରିଥିଲେ। କିନ୍ତୁ ଏଜବାଷ୍ଟନ୍ ଟେଷ୍ଟରେ କୋହଲି କେବଳ ୧୧ ଏବଂ ୨୦ ରନ୍ କରିବାକୁ ସକ୍ଷମ ହୋଇଥିଲେ ।

କେବଳ ଅନ୍ତର୍ଜାତୀୟ କ୍ରିକେଟ୍ ନୁହେଁ କୋହଲି ଆଇପିଏଲରେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲେ। ଆଇପିଏଲ୍ ୨୦୨୨ ସିଜନର ୧୬ଟି ଇନିଂସରେ ସେ ମାତ୍ର ୩୪୧ ରନ୍ କରିଥିଲେ ଏବଂ ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟିଂ ଷ୍ଟ୍ରାଇକ୍ ହାର ୧୧୬ରୁ କମ୍ ଥିଲା ।

Comments are closed.