ଦ୍ବିତୀୟ ଟେଷ୍ଟ: ବାଂଲାଦେଶ ୨୨୭ ରନରେ ଆଉଟ୍

ମୀରପୁର: ଉମେଶ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଶାଣିତ ପ୍ରଦର୍ଶନ ବଳରେ ଗୁରୁବାର ଏଠାରେ ଆରମ୍ଭ ହୋଇଥିବ ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ବାଂଲାଦେଶକୁ ୨୨୭ ରନରେ ଆଉଟ୍ କରିଦେଇଛି । ଏହାର ଜବାବରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ବିନା କୌଣସି କ୍ଷତିରେ ୧୯ ରନ୍ କରିନେଇଛି ।

ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ମୋମିନୁଲ୍ ହକଙ୍କୁ ଛାଡ଼ି ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ବାଂଲାଦେଶ ପକ୍ଷରୁ ମୋମିନୁଲ ୧୫୭ ବଲରୁ ସର୍ବାଧିକ ୮୪ ରନ୍ କରିଥିଲେ । ତାଙ୍କର ଏହି ଇନିଂସରେ ୧୨ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା |

ଭାରତ ପାଇଁ ଦ୍ରୁତ ବୋଲର ଉମେଶ ଯାଦବ ୨୫ ରନ୍ ବିନିମୟରେ ୪ଟି ଓ୍ବିକେଟ୍ ନେଇଥିବା ବେଳେ ବରିଷ୍ଠ ସ୍ପିନର ଅଶ୍ୱିନ୍ ୭୧ ରନରେ ୪ଟି ଓ୍ଵିକେଟ୍ ହାସଲ କରିଥିଲେ । ଏହାଛଡ଼ା ୧୨ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଥିବା ଜୟଦେବ ଉନାଦକଟ୍ ୫୦ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ବାଂଲାଦେଶ ଶେଷ ପାଞ୍ଚଟି ୱିକେଟ୍ ୧୪ ରନରେ ହରାଇଥିଲା ।

ଚଟୋଗ୍ରାମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟକୁ ଭାରତ ୧୮୮ ରନରେ ଜିତିଥିଲା । ଦୁଇ ମ୍ୟାଚ୍ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।

Comments are closed.