ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚୟନ କମିଟିକୁ ବିଦା କଲା ବିସିସିଆଇ  | News Room Odisha

ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚୟନ କମିଟିକୁ ବିଦା କଲା ବିସିସିଆଇ 

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଫାଇନାଲରେ ପହଞ୍ଚିବାରେ ବିଫଳ ହେବା ପରେ ବିସିସିଆଇ କଡ଼ା ପଦକ୍ଷେପ ଗ୍ରହଣ କରିଛି । ଭାରତୀୟ ବୋର୍ଡ ଶୁକ୍ରବାର ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଚାରି ଜଣିଆ ଜାତୀୟ ଚୟନ କମିଟିକୁ ବହିଷ୍କୃତ କରିଛି। ଚେତନଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଦଳ ୨୦୨୧ ଟି-୨୦ ବିଶ୍ୱକପରେ ମଧ୍ୟ ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚି ପାରିନଥିଲା। ଏହାଛଡ଼ା ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ହାରି ଯାଇଥିଲା।

ଜାତୀୟ ଚୟନକର୍ତ୍ତା ଭାବେ ଚେତନ (ଉତ୍ତର ଜୋନ୍), ହରବିନ୍ଦର ସିଂ (କେନ୍ଦ୍ରୀୟ ଜୋନ୍), ସୁନୀଲ ଯୋଶୀ (ଦକ୍ଷିଣ ଜୋନ୍) ଏବଂ ଦେବଶିଷ ମହାନ୍ତି (ପୂର୍ବ ଜୋନ୍) ସବୁଠୁ କମ୍ ଦିନର କାର୍ଯ୍ୟକାଳ ପରେ ବିଦା ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ୨୦୨୦ରେ ଏବଂ ଆଉ କିଛି ୨୦୨୧ରେ ନିଯୁକ୍ତ ହୋଇଥିଲେ। ଜଣେ ବରିଷ୍ଠ ଜାତୀୟ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ସାଧାରଣତ ଚାରି ବର୍ଷ ହୋଇଥାଏ ଏବଂ ଏହା ଆହୁରି ବୃଦ୍ଧି କରାଯାଇପାରେ | ଅଭୟ କୁରୁଭିଲାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ପଶ୍ଚିମ ଜୋନରୁ କୌଣସି ଚୟନକର୍ତ୍ତା ନଥିଲେ।

ନୂଆ ଚୟନ କମିଟି ଗଠନ ପାଇଁ ବିସିସିଆଇ ଶୁକ୍ରବାର ଆବେଦନ ଆହ୍ବାନ କରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୨୮ ନଭେମ୍ବର | ଚେତନ ଶର୍ମା ଭାରତ ପାଇଁ ୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ପୂର୍ବତନ ଭାରତୀୟ ଖେଳାଳି ପ୍ରାୟ ୧୧ ବର୍ଷ (୧୯୮୩-୯୪) ମଧ୍ୟରେ ଆନ୍ତର୍ଜାତୀୟ କ୍ୟାରିୟରରେ ୨୩ଟି ଟେଷ୍ଟ ଏବଂ ୬୫ଟି ଦିନିକିଆରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ | ୧୯୮୭ ବିଶ୍ୱକପରେ ହ୍ୟାଟ୍ରିକ୍ ହେଉଛି ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା |