ବେଲାଋଷର ଆଲେସ୍ ବିୟାଲିୟାସ୍କିଙ୍କ ସହ ରୁଷ୍ ଓ ୟୁକ୍ରେନର ମାନବାଧିକାର ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର

ଓସଲୋ: ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଏଥର ଏହି ସମ୍ମାନଜନକ ପୁରସ୍କାର ମିଳିତ ଭାବେ ବେଲାଋଷର ସାମାଜିକ କର୍ମୀ ତଥା ଓକିଲ ଆଲେସ୍ ବିୟାଲିୟାସ୍କିଙ୍କ ସହ ରୁଷର ମାନବାଧିକାର ସଂଗଠନ ‘ମେମୋରିଆଲ’ ଏବଂ ୟୁକ୍ରେନର ମାନବାଧିକାର ସଂଗଠନ ‘ସେଣ୍ଟର ଫର୍ ସିଭିଲ୍ ଲିବର୍ଟିଜ୍’କୁ ପ୍ରଦାନ କରାଯାଇଛି।

ନରଓ୍ବେ ନୋବେଲ କମିଟି ଏକ ବିବୃତ୍ତିରେ କହିଛି, ଶାନ୍ତି ପୁରସ୍କାର ବିଜେତାମାନେ ନିଜ ଦେଶର ନାଗରିକ ସମାଜକୁ ପ୍ରତିନିଧିତ୍ୱ କରନ୍ତି | ବହୁ ବର୍ଷ ଧରି ସେମାନେ କ୍ଷମତାକୁ ସମାଲୋଚନା କରି ନାଗରିକଙ୍କ ଅଧିକାରର ସୁରକ୍ଷା ଦିଗରେ କାର୍ଯ୍ୟ କରିଛନ୍ତି । ଯୁଦ୍ଧ ଅପରାଧ, ମାନବିକ ଅଧିକାରର ଉଲ୍ଲଂଘନ ଏବଂ କ୍ଷମତାର ଅପବ୍ୟବହାର ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେମାନେ ମିଳିତ ଭାବେ ଶାନ୍ତି ଏବଂ ଗଣତନ୍ତ୍ର ପାଇଁ ନାଗରିକ ସମାଜର ମହତ୍ତ୍ଵକୁ ଦର୍ଶାଇଛନ୍ତି।

ନୋବେଲ ଶାନ୍ତି ପୁରସ୍କାର ନରୱେ ତରଫରୁ ପ୍ରଦାନ କରାଯାଉଥିବା ବେଳେ ଅନ୍ୟ ସମସ୍ତ ବର୍ଗ ପାଇଁ ନୋବେଲ ପୁରସ୍କାର ଷ୍ଟକହୋମ ନୋବେଲ କମିଟି ପ୍ରଦାନ କରିଥାଏ |

ଏହା ପୂର୍ବରୁ ମେଡିସିନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇସାରିଛି । ଆସନ୍ତାକାଲି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯିବ ।

ନୋବେଲ ପୁରସ୍କାରର ପ୍ରତିଷ୍ଠା ଡାଇନାମାଇଟ୍ ର ଉଦ୍ଭାବକ ତଥା ସ୍ୱିଡେନର ଜଣେ ଧନୀ ବ୍ୟବସାୟୀ ଆଲଫ୍ରେଡ୍ ନୋବେଲ କରିଥିଲେ। ମୃତ୍ୟୁର ଏକ ବର୍ଷ ପୂର୍ବରୁ ସେ ୧୮୯୬ ମସିହାରେ ନିଜ ଇଚ୍ଛାପତ୍ରରେ ଏହି ପୁରସ୍କାରର ବ୍ୟବସ୍ଥା କରିଥିଲେ | ଯାହା ପରେ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି ପରି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୦୧ ପରଠାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି | ପରେ ଅର୍ଥନୀତିକୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା |

Comments are closed.