ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ | News Room Odisha

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି।ସୂଚନା ଅନୁଯାୟୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲକୁ ନିଆଯାଇଛି ।

ଗତକାଲି ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରି ୨୦ କୋଟି ନଗଦ ଟଙ୍କା ଜବତ କରାଯାଇଥିଲା । ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ରୁ ଅଧିକ ମୋବାଇଲ୍ ଫୋନ୍ ମଧ୍ୟ ମିଳିଥିଲା। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ ନିଯୁକ୍ତି ସ୍କାମ ଅଭିଯୋଗରେ ଏକ ଟିମ୍ ପାର୍ଥଙ୍କ ଘରେ ପହଞ୍ଚିଥିଲା।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଅର୍ପିତାଙ୍କ ବିରୋଧରେ ଇଡିକୁ କିଛି ପ୍ରମାଣ ମିଳିଥିଲା । ଏହା ପରେ ତାଙ୍କ ଘରେ ଚଢାଉ କରାଯାଇଥିଲା। ବହୁ ଘଣ୍ଟା ଧରି ଚାଲିଥିବା ଏହି ଚଢ଼ାଉ ସମୟରେ ତାଙ୍କ ଘରେ ଗଦା ଗଦା ନୋଟ୍ ମିଳିଥିଲା।

ପାର୍ଥ ଚାଟାର୍ଜୀ ବର୍ତ୍ତମାନ ପଶ୍ଚିମବଙ୍ଗ ସରକାରରେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଅଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ଯେବେ ସାମ୍ନାକୁ ଆସିଲା, ସେତେବେଳେ ସେ ରାଜ୍ୟର ଶିକ୍ଷା ମନ୍ତ୍ରୀ ଥିଲେ।

ଉଲ୍ଲେଖଥାଉ କି, ଅର୍ପିତାଙ୍କ ବ୍ୟତୀତ ଇଡି ଅନ୍ୟ କିଛି ଲୋକଙ୍କ ସ୍ଥାନରେ ଚଢାଉ କରିଥିଲା। ଏହି ତାଲିକାରେ ମାଣିକ ଭଟ୍ଟାଚାର୍ଯ୍ୟ, ଆଲୋକ କୁମାର ସରକାର, କଲ୍ୟାଣ ମୋୟ ଗାଙ୍ଗୁଲିଙ୍କ ନାମ ରହିଛି। ଶିକ୍ଷକ ନିଯୁକ୍ତି ସ୍କାମରେ ଏମାନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା।