‘ମହାଭାରତ’ର ଭୀମ ଓ ପୂର୍ବତନ ଆଥଲେଟ୍ ପ୍ରବୀଣ କୁମାର ସୋବତିଙ୍କ ପରଲୋକ

ନୂଆଦିଲ୍ଲୀ: ବି.ଆର୍ ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଭୀମ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ପ୍ରବୀଣ କୁମାର ସୋବତିଙ୍କ ପରଲୋକ ହୋଇଯାଇଛି । ହୃଦଘାତ୍ ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ସ୍ଥିତ ଅଶୋକ ବିହାର ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା | ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ପିଠି ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଇଥିଲା | କିଛି ମାସ ପୂର୍ବରୁ ପ୍ରବୀଣ କୁମାର ସୋବତିଙ୍କ ଅପରେସନ୍ ମଧ୍ୟ କରାଯାଇଥିଲା, କିନ୍ତୁ ସେ ଚାଲିବାକୁ ଅସମର୍ଥ ଥିଲେ। ଉଲ୍ଲେଖଥାଉ କି, ପ୍ରବୀଣ କୁମାର ସୋବତି ପଞ୍ଜାବର ତରଣ ତାରାଣର ମୂଳ ବାସିନ୍ଦା ଥିଲେ।

ବି.ଆର ଚୋପ୍ରାଙ୍କ ‘ମହାଭାରତ’ରେ ଭୀମଙ୍କ ଭୂମିକାରେ ଅଭିନୟ କରି ପ୍ରବୀଣ କୁମାର ସୋବତି ଘରେ ଘରେ ପରିଚିତ ହୋଇଯାଇଥିଲେ।

ତାଙ୍କର ଉଚ୍ଚତା ଓ ସୁନ୍ଦର ସ୍ବାସ୍ଥ୍ୟ ଯୋଗୁଁ ତାଙ୍କୁ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରିବାକୁ ଅଫର୍ ମିଳିଥିଲା। ସେ ୩୦ରୁ ଅଧିକ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ | ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସେ ଏକ ହାମର୍ ଏବଂ ଡିସ୍କସ୍ ଥ୍ରୋ ଆଥଲେଟ୍ ଥିଲେ | ଏଥିସହ ସେ ଏସୀୟ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି। ପ୍ରବୀଣ କୁମାର ସୋବତି ଅଲିମ୍ପିକ୍ସରେ ଦୁଇଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ୧୯୬୮ରେ ମେକ୍ସିକୋ ଅଲିମ୍ପିକ୍ସ ଏବଂ ୧୯୭୨ରେ ମ୍ୟୁନିକ୍ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ବ କରିଥିଲେ । ଅଭିନୟ କରିବା ପୂର୍ବରୁ ସେ ଜଣେ ବିଏସ୍ଏଫ୍ ଜୱାନ୍ ଥିଲେ।

Comments are closed.