ନାମିବ୍ୟାରୁ ଅଣା ଯାଇଥିବା ଚିତାଙ୍କ ପାଇଁ ହରିଣ ପଡ଼ୁଛନ୍ତି ବଳି, ପ୍ରତିବାଦରେ ବିଷ୍ଣୋଇ ସମ୍ପ୍ରଦାୟର ବିକ୍ଷୋଭ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଫତେହାବାଦ (ହରିୟାଣା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ନାମିବ୍ୟାରୁ ଅଣା ଯାଇଥିବା ୮ ଚିତାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବା ନେଇ ବିବାଦ ଦେଖାଦେଇଛି। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସର୍ବଦା ସଂଗ୍ରାମ କରୁଥିବା ବିଷ୍ଣୋଇ ସମ୍ପ୍ରଦାୟ ଏହି ଚିତାଙ୍କ ଖାଦ୍ୟ ଭାବେ କୁନୋ ଜାତୀୟ ଉଦ୍ୟାନରେ ହରିଣଙ୍କୁ ଛାଡ଼ିବା ନେଇ ଆପତ୍ତି ଉଠାଇଛନ୍ତି। ଏହି ପଦକ୍ଷେପ ବିରୋଧରେ ବିଷ୍ଣୋଇ ସମ୍ପ୍ରଦାୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏହି ପ୍ରସଙ୍ଗରେ ବିଷ୍ଣୋଇ ସମ୍ପ୍ରଦାୟର ଲୋକମାନେ ହରିୟାଣାର ଫତେହାବାଦସ୍ଥିତ ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ୮ଟି ଚିତାଙ୍କ ଆହାର ପାଇଁ ରାଜସ୍ଥାନ ଜଙ୍ଗଲରୁ ୧୮୧ ଟି ହରିଣ ପଠାଯାଇଛି । ଏଥିରେ ଅସନ୍ତୋଷ ପ୍ରକାଶ କରି ସର୍ବଭାରତୀୟ ବିଷ୍ଣୋଇ ମହାସଭାର ସଭାପତି ଦେବେନ୍ଦ୍ର ବୁଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

ଦେବେନ୍ଦ୍ର ବୁଡିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଦେଶରେ ବିଲୁପ୍ତ ଚିତାର ପୁନରୁଦ୍ଧାର ପାଇଁ ଭାରତ ସରକାରଙ୍କ ନେତୃତ୍ବରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଛି । କିନ୍ତୁ ସେମାନଙ୍କର ଖାଦ୍ୟ ଭାବେ ମୁଖ୍ୟତଃ ଚିତାହରିଣ, ମୃଗ ଆଦି ପଶୁମାନଙ୍କୁ ଜଙ୍ଗଲରେ ଛଡ଼ାଯିବା ବିଷ୍ଣୋଇ ସମାଜକୁ ବହୁତ ଆଘାତ ଦେଇଛି |

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଜଙ୍ଗଲରେ ୭୦ ବର୍ଷ ପରେ ଚିତା ଫେରିଛି। ଏହାପୂର୍ବରୁ ୧୯୫୨ ମସିହାରେ ଦେଶରୁ ଚିତା ପ୍ରଜାତିର ବିଲୁପ୍ତ ହେବାର ଖବର ସରକାରୀ ଭାବେ ସ୍ପଷ୍ଟ କରାଯାଇଥିଲା ।

Comments are closed.