ଭାରତ ସ୍ୱାଧୀନତା ପାଇବାର ତିନି ମାସ ପରେ, ୧୯ ନଭେମ୍ବର୧୯୪୭ ଦିନ, ମହାତ୍ମା ଗାନ୍ଧୀ ଏକ ପତ୍ରରେ ସ୍ୱାଧୀନ ଭାରତର ଗଣତନ୍ତ୍ରରେ ରାଜନୈତିକ ଦଳ ଏବଂ ବିଶେଷ ଭାବେ କଂଗ୍ରେସ ଦଳ କିପରି ତିଷ୍ଠି ରହିପାରିବ ତାହା ବିଷୟରେ ଲେଖିଥିଲେ | ସେଥିରେ ସେ ଉଲ୍ଲେଖ କରିଥିଲେ ଯେ କେବଳ କ୍ଷମତା କୈନ୍ଦ୍ରିକ ହୋଇ ଯଦି ରାଜନୈତିକ ଦଳ ଗଠନ ମୂଳକ କାର୍ଯ୍ୟ ଯଥା ସାମ୍ପ୍ରଦାୟିକ ଏକତା , ନାରୀ ମାନଙ୍କ ଉତଥାନ ଓ କୃଷକ, ଆଦିବାସୀ, ରାଜ୍ୟ ମାନଙ୍କ ଭାଷା, ଗ୍ରାମ ସ୍ୱଛତା, ଅସ୍ପୃଶ୍ୟତା ନିବାରଣ ଏବଂ ଗ୍ରାମ ଶିଳ୍ପ ବିଷୟ କୁ ଅବହେଳା କରିବ ତେବେ ସେହି ଦଳର ସ୍ଥିତି ଅସମ୍ଭବ ହେବା ଅନିବାର୍ଯ୍ୟ | ଏହାର କାରଣ ଦର୍ଶାଇ ସେ କହିଥିଲେ ଯେ ଯେତେବେଳେ ରାଜନୈତିକ ଦଳ ଲୋକଙ୍କ ଦ୍ୱାରା କ୍ଷମତା ପାଇଁ ସର୍ବୋଚ୍ଚ ସ୍ତରରେ ଆସୀନ ହୁଅନ୍ତି ଲୋକ ଆଶା ରଖନ୍ତି ଯେ ସେହି ଦଳ ସେମାନଙ୍କ ଦୁଃଖ ଦୁର୍ଦଶା ଲାଘବ କରିବା ପାଇଁ ପ୍ରୟାସ ଓ ପରିଶ୍ରମ କରିବାକୁ ଯତ୍ନବାନ ହେବ |
ତେବେ ଓଡ଼ିଶାରେ ଯଦି ବିଭିର୍ଣ୍ଣ ରାଜନୈତିକ ଦଳ ବିଷୟରେ ସମୀକ୍ଷା କରାଯାଇ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସରେ ତାହାର ଦୁଇ ଦଶନ୍ଧି ରୁ ଅଧିକା ସମୟର କାର୍ଯ୍ୟବିଧି ଉପରେ ଆଲୋକପାତ କରାଯିବ ତେବେ ରାଜ୍ୟର ରାଜନୀତି ଓ ସାଧାରଣ ଜୀବନରେ ନିଷ୍ପତ୍ତି ନିଆଯାଇଥିବା କେତକ ନୀତି ଜାତୀୟ ଏବଂ ବିଶ୍ୱସ୍ତରରେ ଆଦୃତ ହୋଇଛି | ଏହାର ଅର୍ଥ ନୁହେଁଯେ ବିଜେଡ଼ି ବା କୌଣସି ରାଜନୈତିକ ଦଳ ସମାଲୋଚନାର ଉର୍ଦ୍ଧ୍ୱରେ| ଯେମିତି ମହାତ୍ମା ଗାନ୍ଧୀ କଂଗ୍ରେସ ର ସପକ୍ଷରେ ମତଦେଇ ମଧ୍ୟ ତାକୁ ତୀବ୍ର ସମାଲୋଚନା କରୁଥିଲେ ସେମିତି ବର୍ତମାନ ଓଡ଼ିଶାରେ ରାଜନୈତିକ ଦଳ ମାନଙ୍କ ଭୂମିକା ଓ ସେମାନଙ୍କ କାର୍ଯ୍ୟାବଳୀକୁ ମୂଲ୍ୟାଙ୍କନ କରିବାକୁ ହେବ | ଉଦାହରଣ ସ୍ୱରୂପ ୧୫ ଡିସେମ୍ବର ୧୯୪୭ରେ ନୂଆଦିଲ୍ଲୀର ଏକ ପ୍ରାର୍ଥନା ସଭାକୁ ସମ୍ବୋଧନ କରି ସେ ଦୁର୍ନୀତି ବଢୁଥିବା ଘଟଣାକୁ ନେଇ ଯାହା କହିଥିଲେ ଲାଗେ ସତେ ଯେପରି ଏକବିଂଶ ଶତାବ୍ଦୀ ଭାରତ ଓ ଓଡିଶାର ହେଉଥିବା ଦୁର୍ନୀତି ଉପରେ ମନ୍ତବ୍ୟ ଦେଉଥିଲେ | ସେ କହିଥିଲେ ଯେ “ଯଦି କୁଶାସନ ଓ
ଦୁର୍ନୀତି ବଢୁଥିବ ତେବେ ଭାରତର ମର୍ଯ୍ୟାଦା ଓ ସ୍ୱାଭିମାନକୁ ରକ୍ଷା କରିହେବ ନାହିଁ | ମୁଁ ଦୁର୍ନୀତି କୁ ଏଇଥିପାଇଁ ଉଲ୍ଲେଖ କରୁଛି କାହିଁକି ନା କୁଶାସନ ଓ ଦୁର୍ନୀତି ଏକାଠି ଆଗକୁ ବଢେ | ମତେ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଛି ଯେ ଦେଶରେ ଦୁର୍ନୀତି ବଢୁଛି | ତେବେ କଣ ସମସ୍ତେ କେବଳ ନିଜ କଥା ଭାବିବେ ଓ ଦେଶ କଥା ନୁହେଁ?” ଯେଉଁ ସମୟରେ ଗାନ୍ଧିଜୀ ଏହି ପ୍ରକାର ବକ୍ତବ୍ୟ ଦେଇଥିଲେ ସେହି ସମୟରେ ଆମ ସମଗ୍ର ଦେଶରେ କଂଗ୍ରେସ ଦଳ ଶାସନ କଳ ସମ୍ଭାଳିଥିଲା ଓ ଦେଶର ସମ୍ବିଧାନ ସଭାରେ ଆମର ସମ୍ବିଧାନ ପ୍ରସ୍ତୁତି କରାଯାଉଥିଲା | ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ନିଯୁକ୍ତି ପାଇଁ ପ୍ରାବଧାନ ରଖିଥିବା ସମ୍ବିଧାନର ଧାରା ୭୫ ସଂଵିଧାନ ସଭାରେ ୩୦ ଡ଼ିସେମ୍ବର ୧୯୪୮ରେ ଆଲୋଚନା ହେଉଥିଲା ସେତେବେଳେ ସେହି ସଭାର ଜଣେ ବଳିଷ୍ଠ ସଦସ୍ୟ ପ୍ରଫେସର କେ ଟି ଶାହା ଏକ ସଂଶୋଧନ ଆଣି କହିଥିଲେ ଯେ କେନ୍ଦ୍ରରେ ଯେଉଁ ମାନେ ମନ୍ତ୍ରୀ ନିଯୁକ୍ତି ପାଇବେ ସେମାନେ ସେହି ପଦର ଦାୟିତ୍ବ ନେବା ପୂର୍ବରୁ ତାଙ୍କର ସମ୍ପତି ଓ ବ୍ୟବସାୟ ତାଲିକା ଘୋଷଣା କରିବେ | ତେବେ ସେହି ସଂଶୋଧନ ପ୍ରସ୍ତାବକୁ ବାବାସାହେବ ଆମ୍ବେଦକର ଓ ସମ୍ବିଧାନ ସଭା ଗ୍ରହଣ କରିନଥିଲେ |
ଆମ୍ବେଦକର କହିଥିଲେ ଯେ ଯେଉଁ ସମସ୍ୟା ପ୍ରଫେସର ଶାହା ତାଙ୍କର ସଂଶୋଧନ ପ୍ରସ୍ତାବରେ ଆଣିଲେ ସେଥିରେ କେହି ଅସହମତ ହେବେ ନାହିଁ; ତେବେ ସେହି ସମସ୍ୟା ର ସମାଧାନ ସମ୍ବିଧାନ ରେ ପ୍ରାବଧାନ କରି ପାଇବା ଠିକ ହେବ ନାହିଁ; ବରଂ ଜନ ମତ, ବିଧାନସଭା ବା ସଂସଦ ସେହି ସମସ୍ୟା ପ୍ରତି ଜାଗ୍ରତ ରହିଲେ ତାର ପ୍ରତିକାର ହୋଇ ପାରିବ |
ବିଜେଡ଼ିର ସ୍ଥାପନ ଦିବସର ପାଞ୍ଚ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି
ସଭାପତି ଶ୍ରୀ ନବୀନ ପଟନାୟକ ବିଜେଡି ରାଜ୍ୟ ପରିଷଦ ବୈଠକରେ ଦୁର୍ନୀତିକୁ ବିକାଶର ସବୁଠୁ ବଡ ଶତ୍ରୁ ବୋଲି କହି ଏହାର ନିରାକରଣ ପାଇଁ ସେ ଏକ ଐତିହାସିକ ଘୋଷଣା କଲେ ଯେ ସରପଞ୍ଚଠୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ ଏବଂ ମୂଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ସମ୍ପତି ତାଲିକା ଦେବେ ଓ ତାହାସବୁ ସର୍ବ ସାଧାରଣଙ୍କ ଗୋଚରରେ ରଖାଯିବ | ଏହି ନିଷ୍ପତିର ଉତ୍ପତି ଭାରତର ସମ୍ଭିଧାନ ସଭାରେ ୩୦ ଡ଼ିସେମ୍ବର୧୯୪୮ ରେ ପ୍ରଫେସର ଶାହାଙ୍କ ସଂଶୋଧନ ପ୍ରସ୍ତାବରେ ଦେଖିବାକୁ ମିଳେ | ତେବେ ସମ୍ପତି ତାଲିକା ଘୋଷଣା କରିବା ପ୍ରସ୍ତାବ ଆମ୍ବେଦକର ଓ ସମ୍ବିଧାନସଭା ଗ୍ରହଣ କରିନଥିଲେ |
କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ କେନ୍ଦ୍ର ଓ ରାଜ୍ୟ ସ୍ତରରେ କ୍ଷମତାରେ ରହି ମଧ୍ୟ ମନ୍ତ୍ରୀ ମାନଙ୍କ ସମ୍ପତି ଘୋଷଣା କଥା କେବେ ବି ଉଠାଇ ନଥିଲେ ବା ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ପଦକ୍ଷେପ ନେଇ ନଥିଲେ| କିଛି ବର୍ଷ ତଳେ ଭାରତର ଉଚ୍ଚତମ ନ୍ୟାୟାଳୟ, ସୁପ୍ରିମକୋର୍ଟର ରାୟ ଅନୁଶାରେ ଯେଉଁମାନେ ବିଧାୟକ ଓ ସାଂସଦ ପଦ ପାଇଁ ନିର୍ବାଚନ ଲଢ଼ିଥାନ୍ତି ସେମାନେ କେବଳ ସତ୍ୟପାଠ କରି ତାଙ୍କର ସମ୍ପତି ତାଲିକା ଘୋଷଣା କରନ୍ତି | ଯେଉଁ ପ୍ରସ୍ତାବ ସମ୍ବିଧାନସଭା ରେ ଦିଆଯିଆଇଥିଲା ତାକୁ ବିସ୍ତାର କରି ସରପଞ୍ଚ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରି ସମ୍ପତି ତାଲିକା ଘୋଷଣା କରିବା ପଦକ୍ଷେପ ଯୁଗାନ୍ତକାରୀ | ଏହାର ଅର୍ଥ ନୁହେଁ ଯେ ଏହା ଦ୍ୱାରା ଦୁର୍ନୀତି ନିରାକରଣ ହୋଇଯିବ | ଦୁର୍ନୀତି ସମାଜରେ ଏକ ବ୍ୟାଧି ରୂପେ ଗୁରୁତର ହୋଇ ବ୍ୟାପିବାର ବହୁ କାରଣ ଅଛି | ତାହାର ଏକ ବଡ କାରଣ ପ୍ରଫେସର ଅମର୍ତ୍ୟ ସେନ ବିଶ୍ଳେଷଣ କରି ଲେଖିଥିଲେ ଯେ ଯେଉଁ ସମାଜରେ ନାରୀ ନିର୍ଯାତନା ଯେତେ ବେଶୀ ଓ ଯେଉଁ ସମାଜ ଯେତେ ବେଶୀ ପୁରୁଷ ପ୍ରଧାନ ସେହି ସମାଜରେ ସେତେ ବେଶୀ ଦୁର୍ନୀତି ହୋଇଥାଏ |
ଏହିକଥା ମହାତ୍ମା ଗାନ୍ଧୀ ମଧ୍ୟ ୧୯୨୫ରେ ଦର୍ଶାଇ କହିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ନାରୀ ମାନେ ସାଧାରଣ ଜୀବନରେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ସେଥିରେ ସୁଦ୍ଧତା ଆଣିବା ସମ୍ଭବ ନୁହେଁ |
ତେଣୁ ମହିଳା ମାନଙ୍କୁ ସଶକ୍ତିକରଣ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି ଓଡିଶା ଓ ଭାରତରେ ତାହା ସ୍ୱାଗତଯୋଗ୍ୟ | ତେବେ ଇତିହାସ ପୃଷ୍ଠା ଓଲଟାଇଲେ ପ୍ରତ୍ୟୟ ହୁଏ ଯେ ଯାହା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ କରିବାକୁ ଚାହିଁ କରିପାରିନଥିଲେ ତାହା ବିଜେଡି ସଭାପତି କରି ଦେଖାଇଥିଲେ | ୪ ଜାନୁଆରୀ ୧୯୫୦ ରେ ନେହରୁ ପ୍ରଦେଶ କଂଗ୍ରେସ ସଭାପତି ମାନଙ୍କୁ ଚିଠି ଲେଖି ଅନୁରୋଧ କଲେ ଯେ ନିର୍ବାଚନରେ ଲଢ଼ିବା ପାଇଁ ଅଧିକା ମହିଳାମାନଙ୍କୁ ଟିକଟ ଦିଆଯିବା ଦରକାର | ପୁଣି ଥରେ ୨୬ ଜାନୁଆରୀରେ ଅନ୍ୟ ଏକ ପତ୍ରରେ ନେହରୁ ଦୁଃଖର ସହ ଲେଖିଥିଲେ ଯେ ତାଙ୍କର ଅନୁରୋଧ ପରେବି ମହିଳା ମାନଙ୍କୁ ଅଧିକା ଟିକଟ ଦିଆଗଲାନାହିଁ | ୧୯୫୨ ସାଧାରଣ ନିର୍ବାଚନ ପରେ ନେହରୁ ଦେଖିଲେ ଯେ ଲୋକସଭା ଓ ରାଜ୍ୟସଭା ପାଇଁ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ବହୁତ କମ | ସେ ମର୍ମାହତ ହୋଇ ସବୁ ମୂଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ ଯେ ଅଧିକା ମହିଳା ନିର୍ବାଚିତ ହୋଇ ସାଧାରଣ ନିର୍ବାଚନରେ ଆସି ପାରିନଥିଲେ ଓ ଚେତାଇ ଦେଇଥିଲେ ଯେ ଭାରତର ଭବିଷ୍ୟତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଉପରେ ଅଧିକା ନିର୍ଭର କରେ |
ନେହରୁଙ୍କର ଏହି ସ୍ବପ୍ନ ଓ ଦୃଷ୍ଟିକୋଣକୁ କଂଗ୍ରେସ ବା ଅନ୍ୟ କୌଣସି ଅଣ କଂଗ୍ରେସ ସରକାର ଫଳବତୀ କରିପାରିନାହାନ୍ତି | ତେବେ ୨୦୧୯ ସାଧାରଣ ନିର୍ବାଚନ ରେ ବିଜେଡି ଭାରତର ପ୍ରଥମ ରାଜନୈତିକ ଦଳ ଯାହାକି ଓଡିଶା ର ଲୋକ ସଭା ପାଇଁ ଥିବା ୨୧ ଆସନରୁ ୭ଟି ରେ ମହିଳା ମାନଙ୍କୁ ଟିକଟ ଦେଇ ଠିଆ କରାଇଲା | ଶତକଡା ୩୩ ଭାଗ ମହିଳାଙ୍କୁ ଟିକେଟ ଦେବାରେ ବିଜେଡି ଭାରତରେ ପ୍ରଥମ ରାଜନୈତିକ ଦଳ ଭାବେ ଏକ ଉଦାହରଣ ସୄଷ୍ଟି କରିପାରିଲା | ସେଥି ମଧ୍ୟରୁ 5 ଜଣ ମହିଳା ବିଜୟୀ ହେଲେ |
ମହାତ୍ମା ଗାନ୍ଧୀ ୧୯୩୧ରେ ଲଣ୍ଡନ ଗୋଲ ଟେବୁଲ ବୈଠକରେ ଭାଗ ନେଇ କହିଥିଲେ ଯେ ଯଦି ଭାରତର ଭବିଷ୍ୟତ ସଂସଦରେ ଯଥେଷ୍ଟ ମହିଳା ପ୍ରତିନିଧି ସ୍ଥାନ ନ ପାଇବେ ତେବେ ସେ ତାକୁ ବର୍ଜନ କରିବେ | ୧୯୩୭ରେ ଲୋକମୂଳକ ଅହିଂସା କାର୍ଯ୍ୟ ବିଷୟରେ ଦୃଷ୍ଟିପାତ କରି ଅହିଂସାର ବ୍ୟାପକ ଅର୍ଥରେ ସେ ମହିଳାଙ୍କ ମତାଧିକାର ଓ ଜନ ପ୍ରତିନିଧି ଅନୁଷ୍ଠାନରେ ସେମାନଙ୍କର ଉପସ୍ଥିତି ଉପରେ ଗୁରୁତ୍ବ ଦେଇଥିଲେ | ଅର୍ଥାତ ମହିଳା ସଶକ୍ତି କରଣ କରିବା ଅର୍ଥ ଅହିଂସାକୁ କାର୍ଯ୍ୟରେ ପରିଣତ କରିବା | ତେବେ ପଞ୍ଚାୟତ ଠାରୁ ସଂସଦ ପର୍ଯ୍ୟନ୍ତ ମହିଳାଙ୍କ ସଂଖ୍ୟା ସେହି ଲୋକପ୍ରତିନିଧି ସଂସ୍ଥା ମାନଙ୍କରେ ଅଧିକା ସଂଖ୍ୟାରେ ନିର୍ବାଚିତ କରିପାରିଲେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ପୁରଣ ହୋଇପାରିବ | ବିଜେଡି ପାଇଁ ଏକ ଆହ୍ବାନ ଯେ ଓଡିଶା ବିଧାନସଭାରେ ଅଧିକା ମହିଳା ନିର୍ବାଚିତ ହେବା ପାଇଁ ସେମାନଙ୍କୁ ଅଧିକଏ ଟିକଟ ଦେବା |
ମହିଳା ସଶକ୍ତିକରଣକୁ ନେଇ ଅହିଂସାର ବ୍ୟାପକ ଅର୍ଥ ସମ୍ପର୍କରେ ବିଚାର କଲାବେଳେ ବିଜେଡି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଯେ ଭାରତର ସମ୍ବିଧାନର ପ୍ରସ୍ତାବନାରେ ଅହିଂସାକୁ ସ୍ଥାନ ଦିଆଯାଉ କଥା ମନକୁ ଆସେ | ସେହି ପ୍ରସ୍ତାବନାରେ ମହାତ୍ମା ଗାନ୍ଧୀ ଓ ଅହିଂସାକୁ ସ୍ଥାନ ଦିଆଯିବା ପାଇଁ ସମ୍ବିଧାନ ସଭାରେ ୧୭ ଅକ୍ଟୋବର ୧୯୪୯ରେ ଶୀବନଲାଲ ସାକ୍ସେନା ଓ ଗୋବିନ୍ଦ ମାଲବ୍ୟ ସଂଶୋଧନ ପ୍ରସ୍ତାବ ଦେଇଥିଲେ |
ତେବେ ସେହି ପ୍ରସ୍ତାବକୁ ସେମାନେ ପ୍ରତ୍ୟାହାର କରିନେଇଥିଲେ ଏହି କାରଣରୁ ଯେ ମହାତ୍ମା ଗାନ୍ଧୀଙ୍କ ନାଁ ପ୍ରସ୍ତାବନାରେ ଯଦି ରଖାଯାଏ ତେବେ ଭବିଷ୍ୟତରେ ହୁଏତ ଅନ୍ୟ କେଉଁ ରାଜନୈତିକ ଦଳ ତାଙ୍କ ନାମକୁ ସମ୍ଭିଧାନ ସଂଶୋଧନ କରି ହଟେଇ ଦେଇପାରନ୍ତି ଓ ତାହା ଗାନ୍ଧିଜୀଙ୍କ ପ୍ରତି ଅପମାନ ହେବ | ତେବେ ନବୀନ ପଟନାୟକଙ୍କ ପ୍ରସ୍ତାବ ଯେ ପ୍ରସ୍ତାବନାରେ ଅହିଂସା ଶବ୍ଦ ରଖାଯାଉ ତାହା ସମ୍ଭିଧାନ ସଭାରେ ୧୯୪୯ରେ ହୋଇଥିବା ଚର୍ଚ୍ଚା ପରିପ୍ରେକ୍ଷୀରେ ଦେଖିଲେ ତାର ଗୁରୁତ୍ବ ବୁଝି ହେଉଛି |
କୋଭିଡ ସଂକଟକୁ ମଧ୍ୟ ବିଜେଡି ସରକାର ନେତୃତ୍ବରେ ଯେଉଁ ଭାବେ ମୁକାବିଲା କରାଗଲା ତାକୁ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରି ରଥ ଯାତ୍ରା ପାଇଁ ଅନୁମତି ଦେଇଥିଲେ ଓ ଯେତେବେଳେ ସେହି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗୁଜରାଟ ହାଇକୋର୍ଟ ରେ ଦର୍ଶାଇ ସେଠାରେ ରଥ ଯାତ୍ରା ପାଇଁ ଅନୁମତି ନିବେଦନ କରାଗଲା ତାକୁ ସେହି ରାଜ୍ୟର ଖରାପ କୋଭିଡ ପରିଚାଳନାକୁ ଦର୍ଶାଇ ସେଠିକାର ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ |
ବିଶ୍ୱବିଖ୍ୟାତ ମେଡିକାଲ ପତ୍ରିକା ଲାନସେଟ ୨୫ ଏପ୍ରିଲ ୨୦୨୦ରେ “ଭାରତ କୋଭିଡ ତାଲାବନ୍ଦ କବଳରେ” ଶୀର୍ଷକ ତାଙ୍କର ସମ୍ପାଦକୀୟ ରେ ଓଡିଶା କୁ ପ୍ରଂଶସା କରି ଲେଖିଥିଲେ ଯେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ କୁ ସଫଳତା ର ସହିତ ସମ୍ମୁଖୀନ କରି ଯେଉଁ ଭାବେ ଜୀବନ ବଞ୍ଚାଇବା ପାଇଁ ପଦକ୍ଷେପ ନେଇଥିଲା ତାକୁ କୋଭିଡ ପାଇଁ ପୁନଃ ପ୍ରଚଳନ କରି ମହାମାରୀକୁ ନିୟନ୍ତ୍ରଣ କରିବାରେ ଏକ ନୂଆ ଦିଗଦର୍ଶନ ଦେଖାଇ ପାରିଥିଲା |
ବିଜେଡି ର ସଭାପତି ଏକ ଯୁଗାନ୍ତକାରୀ ଘୋଷଣା କଲେ ଯେ ଓଡିଶାର ପରିଚୟ ଓଡ଼ିଆ ଭାଷାରେ ଥାଏ ଓ ସେ ଓଡ଼ିଆ ଭାଷାକୁ ପ୍ରଧାନ୍ୟ ଦେଇ ଏକଥା ମଧ୍ୟ କହିଲେ ଯେ ଓଡ଼ିଶାର ପ୍ରଧାନ ଭାଷା ଓଡ଼ିଆ ସାଙ୍ଗରେ ପଶ୍ଚିମ ଓଡ଼ିଶାର କୋଶଳି ଓ ଆଦିବାସୀଙ୍କର ହୋ ଭାଷା ଅଟେ | ଏହା ଏକ ରାଜ ନୈତିକ ଦଳର ସଭାପତିଙ୍କ ଏକ ଅସାଧାରଣ ଘୋଷଣା ଯାହା ବୋଧହୁଏ ଓଡ଼ିଶାର ଅନ୍ୟ କୌଣସି ରାଜନୈତିକ ଦଳ ର ସଭାପତି କେବେ କରିନାହାନ୍ତି | କୋଶଳି ଓ ଆଦିବାସୀଙ୍କର ହୋ ଭାଷା କୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ଯେଉଁ ପ୍ରଚେଷ୍ଟା ସେ ଉଲ୍ଳେଖ କରିଥିଲେ ତାହା ମଧ୍ୟ ଏକ ମହତ୍ଵପୁର୍ଣ୍ଣ ନିର୍ଣ୍ଣୟ୍ୟ | ଏହି ପ୍ରଚେଷ୍ଟା ମହାତ୍ମା ଗାନ୍ଧୀଙ୍କ ୧୯୪୧ରେ ଲେଖା ଗଠନମୂଳକ କାର୍ଯ୍ୟକ୍ରମ ରେ ଥିବା ଭାଷା ଓ ଆଦିବାସୀ ବିଷୟରେ ଥିବା ବିବରଣୀର ଅନୁରୂପ |
୨୧ ବର୍ଷ କ୍ଷମତାରେ ରହିବା ବିଜେଡି ପାଇଁ ଯେତିକି ଏକ ଐତିହାସିକ ସଫଳତା ଠାରୁ ଅଧିକା ଏକ ବଡ ଆହ୍ୱାନ | ବହୁ କାରଣରୁ ଏହି ଦଳକୁ ସମାଲୋଚନାର ସମ୍ମୁଖୀନ ହୋଇ ଆତ୍ମନରୀକ୍ଷଣ ମଧ୍ୟ କରିବାକୁ ପଡିବ | ଲୋକାଭିମୁଖି ହୋଇ ଓଡିଶାକୁ ଆଗକୁ ନେବା ପ୍ରଚେଷ୍ଟା ଅନବରତ ଜାରି ରଖି ସବୁ ସମାଲୋଚାନାରେ ଥିବା ସତ୍ୟକୁ ଗ୍ରହଣ କରି ଅଗ୍ରସର ହେବାକୁ ପଡିବ | ଏହି ପରିପ୍ରେକ୍ଷୀରେ ଚଣ୍ଡିଗଡ ସ୍ଥିତ ଟ୍ରିବ୍ୟୁନ ଖବର କାଗଜର ମୁଖ୍ୟ ସମ୍ପାଦକ ରାଜେଶ ରାମଚନ୍ଦ୍ରନଙ୍କ ଲେଖା “କୃତ୍ରିମ ପରିଚିତି ବାହାରେ” (Beyond Manufactured Identities ) କୁ ଉଧୃତ କରିବା ଠିକ ହେବ | ସେ ଲେଖିଥିଲେ “ନବୀନ ପଟନାୟକ ଜାତି, ସାମ୍ପ୍ରଦାୟିକ ଓ ଧୃବିକରଣ ରାଜନୀତି କେବେ କରିନାହାନ୍ତି ବା ସେ କୌଣସି ସଂଖ୍ୟା ଗରିଷ୍ଠ ଜାତି ର ବ୍ୟକ୍ତି ନୁହନ୍ତି | ଓଡ଼ିଶାରେ ମଧ୍ୟ ମୁସଲିମମାନଙ୍କ ସଂଖ୍ୟା ଏତେ ଅଧିକା ନାହିଁ | ତଥାପି ସେ ବିଜେପି କୁ ଦୁଇ ଦୁଇ ଥର ପରାସ୍ତ କରି ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତୁଛନ୍ତି | ତାହା ଭାରତୀୟ ରାଜନୀତିରେ ନୂଆ ସାମାନ୍ୟ ଓ ସାଧାରଣ ସ୍ତର (new normal) ହେବା ଉଚିତ : ରୂପାନ୍ତକାରୀ ରାଜନିତୀର ବିଜୟ”| ଓଡ଼ିଶାର ସ୍ୱତନ୍ତ୍ରତା ଓ ସମ୍ଭିଧାନଗତ ଦେଶପ୍ରେମ ରେ ଉଦବୁଦ୍ଧ ହୋଇ ଓଡିଶାକୁ ପ୍ରାଥମିକତା ଦେଇ ଆମ ରାଜ୍ୟ କୁ ସ୍ଵଂତନ୍ତ୍ର ପାହ୍ୟା ହାସଲ ପାଇଁ ଅଗ୍ରସର ହେବ ଅନିବାର୍ଯ୍ୟ ହେବ |
ଲେଖକ ଭାରତର ପୁର୍ବତନ ରାଷ୍ଟ୍ରପତି କେ ଆର ନାରାୟଣନ ଙ୍କ ବିଶେଷ ଅଧିକାରୀ ଓ ପ୍ରେସ୍ର ସଚିବ ଥିଲେ |