୬ ମାସରେ ୩ ରାଜ୍ୟରେ ବିଜେପିର ୪ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଇସ୍ତଫା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ପ୍ରାୟ ୧୫ ମାସ ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଗତ ୬ ମାସ ମଧ୍ୟରେ ବିଜୟ ରୁପାନୀ ହେଉଛନ୍ତି ବିଜେପିର ଚତୁର୍ଥ ମୁଖ୍ୟମନ୍ତ୍ରୀ ଯିଏକି ପଦ ଛାଡ଼ିଛନ୍ତି। ଗୁଜୁରାଟ ପୂର୍ବରୁ ଉତ୍ତରାଖଣ୍ଡ ଏବଂ କର୍ଣ୍ଣାଟକରେ ବିଜେପି ଗତ ୬ ମାସ ମଧ୍ୟରେ ତିନିଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଛି। ବିଜୟ ରୂପାନି ଏହି କ୍ରମରେ ଚତୁର୍ଥ ମୁଖ୍ୟମନ୍ତ୍ରୀ।

ମାର୍ଚ୍ଚରେ ବିଜେପି ତତ୍କାଳୀନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ହଟାଇ ଲୋକସଭା ସାଂସଦ ତୀରଥ ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାର ଚାରିମାସ ପରେ ଜୁଲାଇରେ ତୀରଥ ସିଂ ରାୱତଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ତାଙ୍କ ସ୍ଥାନରେ ଦୁଇଥର ବିଧାୟକ ପୁଷ୍କର ସିଂ ଧାମିଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । ଉତ୍ତରାଖଣ୍ଡ ପରେ ବିଜେପି କର୍ଣ୍ଣାଟକରେ ବିଏସ୍ ୟେଦୁରପ୍ପାଙ୍କୁ ହଟାଇ ବିଏସ୍ ବମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା ବିଜେପି ।

ଦଳର ଜଣେ ନେତା ଦାବି କରିଛନ୍ତି ଯେ ରାଜ୍ୟରେ ଏକ ନୂଆ ନେତୃତ୍ୱ ଆଣିବା ପାଇଁ ଗୁଜୁରାଟ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯାଇଛି। କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କ ବିରୋଧରେ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇଥିଲା ବୋଲି ସେ କହିଛନ୍ତି। ସେହିଭଳି ଗୁଜୁରାଟ ବିଜେପିରେ ରୁପାନିଙ୍କୁ ଦଳର ଏକ ଗୋଷ୍ଠୀ ହଟାଇବାକୁ ଦାବି କରିଥିଲା । ରୂପାନିଙ୍କ ନେତୃତ୍ୱରେ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନର ​​ଜିତିବା କଷ୍ଟକର ହେବ‌ ବୋଲି ଆଶଙ୍କା ପ୍ରକାଶ ପାଇଥିଲା ।

ନୂଆ ଚେହେରା ଆଣିବା ପାଇଁ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ହଟାଇ ତୀରଥ ସିଂ ରାୱତଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ହେଲେ ଶପଥ ଗ୍ରହଣ କରିବାର ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇପାରିନଥିବାରୁ ତାଙ୍କୁ ହଟାଇ ଦିଆଯାଇଥିଲା। ସେପଟେ ଗୁଜରାଟର ଜଣେ ବିଜେପି ନେତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ଦଳର ଏକ ଗୋଷ୍ଠୀ ପକ୍ଷରୁ ଆଲୋଚନା ଏବଂ ଦାବି ହୋଇଥିଲା । କିନ୍ତୁ ଏଭଳି ଖବର ଆସିବ ବୋଲି କେହି ଆଶା କରିନଥିଲେ। ଇସ୍ତଫା ଦେବା ପରେ ଏହା ରୂପାନିଙ୍କୁ ହଟାଯିବା ନେଇ କାରଣ କୁହାଯିବ କି ନାହିଁ ଆମେ ଜାଣିନାହୁଁ ।

Comments are closed.