ଭବାନୀପୁର ଉପନିର୍ବାଚନ: ମମତାଙ୍କ ବିରୋଧରେ ପ୍ରିୟଙ୍କା ଟିବ୍ରେଓ୍ବାଲଙ୍କୁ ପ୍ରାର୍ଥୀ କଲା ବିଜେପି

କୋଲକାତା: ଭବାନୀପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଅନ୍ୟପକ୍ଷରେ ଏହି ଆସନରେ ମମତାଙ୍କ ବିରୋଧରେ ପ୍ରିୟଙ୍କା ଟିବ୍ରେଓ୍ବାଲଙ୍କୁ ବିଜେପି ନିଜର ପ୍ରାର୍ଥୀ କରିଛି। ସେପ୍ଟେମ୍ବର ୩୦ରେ ଭବାନୀପୁର ବିଧାନସଭା ଆସନ ପାଇଁ ମତଦାନ ହେବ। ଟିଏମସି ନେତାମାନେ ମମତା ବାନାର୍ଜୀଙ୍କ ସମର୍ଥନରେ ପ୍ରଚାର ଆରମ୍ଭ କରିଛନ୍ତି। ଭବାନୀପୁରର ସବୁ କାନ୍ଥ ବାଡ଼ରେ ‘ଖେଲା ହୋବେ’ର ସ୍ଲୋଗାନ ଲେଖାଯାଉଛି।

ମମତାଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରିୟଙ୍କା ଟିବ୍ରେଓ୍ବାଲ ହେଉଛନ୍ତି ଜଣେ ଜଣାଶୁଣା ଓକିଲ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ପ୍ରିୟଙ୍କା କୋର୍ଟରେ ମମତା ସରକାରଙ୍କୁ ଘେରିଥିଲେ। ପ୍ରିୟଙ୍କା ନିକଟରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ଜଣେ ଆଇନ ପରାମର୍ଶଦାତା ମଧ୍ୟ ଥିଲେ। ସେ ସୁପ୍ରିୟୋଙ୍କ ପରାମର୍ଶ ପରେ ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଭବାନୀପୁର ମମତାଙ୍କ ପାରମ୍ପରିକ ଆସନ ରହିଆସିଛି । ଏଠାରୁ ୨୦୧୧ ଉପନିର୍ବାଚନରେ ​​ମମତା ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୨୦୧୬ରେ ମଧ୍ୟ ନିର୍ବାଚନରେ ​​ଜିତିଥିଲେ। କିନ୍ତୁ ଏହି ବର୍ଷ ଏପ୍ରିଲ୍-ମେ’ରେ ହୋଇଥିବା ବିଧାନସଭା ନିର୍ବାଚନରେ ମମତା ଭବାନୀପୁର ପରିବର୍ତ୍ତେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରି ତାଙ୍କର ଏକଦା ସହଯୋଗୀ ଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଯାଇଥିଲେ। ତଥାପି ସେ ସିଏମ୍ ଭାବେ ଶପଥ ଗ୍ରହଣ କରିଥିଲେ। ନିୟମ ଅନୁଯାୟୀ ତାଙ୍କୁ ୬ ମାସ ଭିତରେ ଅର୍ଥାତ୍ ନଭେମ୍ବର ପାଞ୍ଚ ସୁଦ୍ଧା ବିଧାନସଭାର ସଦସ୍ୟତା ଗ୍ରହଣ କରିବାକୁ ପଡିବ। ଭବାନୀପୁର ବ୍ୟତୀତ ୩୦ ସେପ୍ଟେମ୍ବରରେ ରାଜ୍ୟର ଶମସେରଗଞ୍ଜ ଏବଂ ଜାଙ୍ଗିପୁର ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ହେବ।

Comments are closed.