ବିଜେପି ନେତାଙ୍କ ଅଭିଯୋଗ: କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ହିଁ ଲକ୍ଷ୍ମୀପୁର ଘଟଣାର ମୁଖ୍ୟ କାର୍ପଟଦାର୍

ଲକ୍ଷ୍ନୌ: ଲକ୍ଷ୍ମୀପୁରରେ କାର୍ ଚଢ଼ାଇ ଚାଷୀଙ୍କୁ ହତ୍ୟା ଘଟଣା ନେଇ ଏବେ ବିଜେପି ଭିତରେ ଅସନ୍ତୋଷ ଦେଖା ଦେଇଛି । ଦଳର ନେତା ତଥା ପୂର୍ବତନ ବିଧାୟକ ରାମ ଇକବାଲ୍ ସିଂ ଏହି ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ହିଁ ଲକ୍ଷ୍ମୀପୁର ଘଟଣାର ମୁଖ୍ୟ କାର୍ପଟଦାର ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ରାମ ଇକବାଲ୍ ସିଂ ଦାବି କରିଛନ୍ତି।

ଉତ୍ତର ପ୍ରଦେଶ ବାଲିଆର ନାଗରା ଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସିଂ ଲକ୍ଷ୍ମୀପୁର ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଦାୟୀ କରିଛନ୍ତି।

ଲକ୍ଷ୍ମୀପୁର ଘଟଣାର କିଛି ଦିନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଦେଇଥିବା ଧମକପୂର୍ଣ୍ଣ ବୟାନ କେବଳ ନିଆଁରେ ଘିଅ ଢ଼ାଳିବା ସଦୃଶ ହୋଇଥିଲା ବୋଲି ସେ କହିଛନ୍ତି। ଗୃହମନ୍ତ୍ରୀ ଚାଷୀଙ୍କ ନିକଟରେ କ୍ଷମା ମାଗିବାର ଥିଲା, କିନ୍ତୁ ସେ ପୁଅକୁ ରକ୍ଷା କରିବାରେ ବ୍ୟସ୍ତ ଥିଲେ। ଉତ୍ତରପ୍ରଦେଶ ବିଜେପି କାର୍ଯ୍ୟକାରିଣୀ କମିଟିର ସଦସ୍ୟ ତଥା ପୂର୍ବତନ ବିଧାୟକ ସିଂ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ କାର୍ ତଳେ ଚାପି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ହିଁ ତାଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ଅଜୟ ମିଶ୍ର ଏବେ ବି ମନ୍ତ୍ରୀ ପଦରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ତୁରନ୍ତ ବରଖାସ୍ତ କରିବା ଉଚିତ୍। ଅଜୟ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି ।

ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଲକ୍ଷ୍ମୀପୁର ଘଟଣା ଏବଂ ଗୋରଖପୁରରେ ବ୍ୟବସାୟୀଙ୍କ ହତ୍ୟା କାରଣରୁ ବିଜେପି ସରକାରର ଛବି ଖରାପ ହୋଇଛି। ସେ କହିଛନ୍ତି ଯେ ଲକ୍ଷ୍ମୀପୁର ଘଟଣାରେ ବିଜେପି କର୍ମୀ ମଧ୍ୟ ନିହତ ହୋଇଛନ୍ତି। ସରକାର ସେମାନଙ୍କ ପ୍ରତି ବି ଧ୍ୟାନ ଦେବା ଉଚିତ । ଏହି ଘଟଣାରେ ସରକାରଙ୍କ ଉଦାସୀନତା କାରଣରୁ ସାରା ରାଜ୍ୟରେ ଦଳର କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ବୋଲି ସେ ଦାବି କରିଛନ୍ତି।

Comments are closed.