ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିବ ବିଜେପି !

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବିପୁଳ ବିଜୟର‌ ଚାରି ଦିନ ପରେ ବି ଏହି ତିନି ହିନ୍ଦୀ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଛତିଶଗଡ଼, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ହାଇକମାଣ୍ଡ ଏବେ ବି ମାନସ ମନ୍ଥନ ଜାରି ରଖିଛନ୍ତି। ତେବେ ଏହି ତିନି ରାଜ୍ୟରେ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏହି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ସ୍ଥିର କରିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ସାଢ଼େ ଚାରି ଘଣ୍ଟା ଧରି ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

ଡିସେମ୍ବର ୩ରେ ଏହି ତିନି ହିନ୍ଦୀ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହାନ, ରାଜସ୍ଥାନରେ ବସୁନ୍ଧରା ରାଜେ ଏବଂ ଛତିଶଗଡ଼ରେ ରମଣ ସିଂହ ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି। ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏହି ତିନି ଜଣ ଆଶାୟୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ଚେହେରା ଚୟନ ପାଇଁ ଅମିତ ଶାହ ଓ ଜେପି ନଡ୍ଡା ଏହି ତିନି ରାଜ୍ୟର ପ୍ରଭାରୀଙ୍କ ଠାରୁ ମତାମତ ଲୋଡିଛନ୍ତି । ବିଜେପି ନେତୃତ୍ୱ ଖୁବ୍ ଶୀଘ୍ର ଏହି ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିପାରନ୍ତି ବୋଲି କୁହାଯାଉଛି । ଏହି ପର୍ଯ୍ୟବେକ୍ଷକମାନେ ସମସ୍ତ ନବନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିବେ ।

ଶିବରାଜଙ୍କ ବ୍ୟତୀତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂହ ତୋମାର ଏବଂ ସାଂସଦ କୈଳାଶ ବିଜୟଭର୍ଗିୟଙ୍କ ନାମ ବି ଚର୍ଚ୍ଚା ହେଉଛି । ସେହିପରି ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ବ୍ୟତୀତ ଓମ୍ ବିର୍ଲା, ଗଜେନ୍ଦ୍ର ସିଂହ ଶେଖାୱତ, ଅର୍ଜୁନ ରାମ ମେଘୱାଲ, ସିପି ଯୋଶୀ, ଦିୟା କୁମାରୀ ଏବଂ ବାବା ବାଲକନାଥଙ୍କ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି। ଛତିଶଗଡ଼ରେ ରମଣ ସିଂଙ୍କ ଛଡ଼ା ଅରୁଣ କୁମାର ସାଇ, ଧରମଲାଲ କୌଶିକ, ପୂର୍ବତନ ଆଇଏଏସ୍ ଅଧିକାରୀ ଓପି ଚୌଧୁରୀ ମୁଖ୍ୟମନ୍ତ୍ରୀ ଦାବିଦାର ରହିଛନ୍ତି ।

Comments are closed.