ରାଜସ୍ଥାନର କରଣପୁର ଉପନିର୍ବାଚନରେ ବିଜେପିକୁ ଝଟକା, ମନ୍ତ୍ରୀ ସୁରେନ୍ଦ୍ରପାଲ ସିଂହଙ୍କ ପରାଜୟ, ୧୨ ହଜାର ଭୋଟରେ ହରାଇଲେ କଂଗ୍ରେସ ପ୍ରାର୍ଥୀ

ଜୟପୁର: ରାଜସ୍ଥାନର କରଣପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିଛି। ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ସରକାର ଗଢ଼ିଥିବା ବିଜେପିକୁ ଲାଗିଛି ଝଟକା । ଉପନିର୍ବାଚନ ପୂର୍ବରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପି ପ୍ରାର୍ଥୀ ସୁରେନ୍ଦ୍ରପାଲ ସିଂହ ଟିଟି କରଣପୁର ଆସନରେ ହାରିଯାଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ରୁପିନ୍ଦର ସିଂହ କୁନାରଙ୍କ ଠାରୁ ୧୨ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି ।

କରଣପୁର ବିଧାନସଭା ଆସନ ପାଇଁ ଜାନୁଆରୀ ୫ରେ ଭୋଟ୍ ଗ୍ରହଣ ହୋଇଥିଲା । ଭୋଟ୍ ହାର ୮୧.୩୮ ପ୍ରତିଶତ ଥିଲା। ଆଜି ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା ହୋଇଛି ।

ସୂଚନାଯୋଗ୍ୟ, ରାଜସ୍ଥାନର ୨୦୦ ବିଧାନସଭା ଆସନ ମଧ୍ୟରୁ ୧୯୯ ଆସନରେ ନଭେମ୍ବର ୨୫ରେ ମତଦାନ ହୋଇଥିଲା । ଫଳାଫଳ ଡିସେମ୍ବର ୩ରେ ଘୋଷଣା କରାଯାଇଥିଲା। ବିଜେପି ୧୧୫ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ କେବଳ ୬୯ଟି ଆସନରେ ସୀମିତ ରହିଥିଲା । କଂଗ୍ରେସ ପ୍ରାର୍ଥୀ ତଥା ତତ୍କାଳୀନ ବିଧାୟକ ଗୁରୁମିତ ସିଂହ କୁନାରଙ୍କ ମୃତ୍ୟୁ ଯୋଗୁଁ ଶ୍ରୀଗଙ୍ଗାନଗର ଜିଲ୍ଲାର କରଣପୁର ଆସନ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

କରଣପୁର ଉପନିର୍ବାଚନ ପାଇଁ ବିଜେପି ସୁରେନ୍ଦ୍ରପାଲ ସିଂହ ଟିଟିଙ୍କୁ ପ୍ରାର୍ଥୀ କରିଥିଲା । ଏହି ଆସନରେ କଂଗ୍ରେସ ପକ୍ଷରୁ ଦିବଂଗତ ନେତା କୁନାରଙ୍କ ପୁଅ ରୁପିନ୍ଦର ସିଂହ ପ୍ରାର୍ଥୀ ହୋଇଥିଲେ । ଶାସକ ବିଜେପି ଡିସେମ୍ବର ୩୦ରେ କରଣପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୁରେନ୍ଦ୍ରପାଲ ସିଂ ଟିଟିଙ୍କୁ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) ଭାବେ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲା । କରଣପୁରରେ ବିଜୟ ପରେ ବର୍ତ୍ତମାନ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ଆସନ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି ।

Comments are closed.