ଭବାନୀପୁର ଉପନିର୍ବାଚନ: ମମତାଙ୍କ ନାମାଙ୍କନକୁ ବିଜେପିର ବିରୋଧ, ଆଣିଲା ଏହି ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ତିନୋଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ସମସ୍ତଙ୍କ ନଜର ଭବାନୀପୁର ଆସନ ଉପରେ ରହିଛି । କାରଣ ତୃଣମୂଳ କଂଗ୍ରେସ ସୁପ୍ରିମୋ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାରୁ ଲଢୁଛନ୍ତି | ତେବେ ଭବାନୀପୁର ଉପନିର୍ବାଚନ ପାଇଁ ମମତା ନିଜ ନାମାଙ୍କନ ପତ୍ରରେ ତାଙ୍କ ବିରୋଧରେ ବିଚାରାଧୀନ ଥିବା ଅପରାଧିକ ମାମଲା ସମ୍ପର୍କରେ ଉଲ୍ଲେଖ କରିନାହାଁନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ବିଜେପି ଭବାନୀପୁର ରିଟର୍ଣ୍ଣିଂ ଅଫିସରଙ୍କୁ ଚିଠି ଲେଖି ଆପତ୍ତି ଜଣାଇଛି ।

ଭବାନୀପୁର ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବିଜେପି ଆଇନଜୀବୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରିଛି।ନାମାଙ୍କନପତ୍ରରେ ଅପରାଧିକ ମାମଲା ସମ୍ପର୍କରେ
ମମତା ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ କରି ପ୍ରିୟଙ୍କା ରିଟର୍ଣ୍ଣିଂ ଅଫିସରଙ୍କୁ ଚିଠି ଲେଖିଛନ୍ତି। ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିବାକୁ ସେ ଦାବି କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭବାନୀପୁର ସମେତ ରାଜ୍ୟର ତିନୋଟି ବିଧାନସଭା ଆସନରେ ୩୦ ସେପ୍ଟେମ୍ବରରେ ଭୋଟ୍ ଗ୍ରହଣ ହେବ। ଅକ୍ଟୋବର ୩ରେ ଫଳାଫଳ ଘୋଷଣା କରାଯିବ। ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ଗଡ଼ ବୋଲି ବିବେଚନା କରାଯାଏ। କିନ୍ତୁ ସେ ଏଥର ନନ୍ଦିଗ୍ରାମ ଆସନରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଠାରେ ତାଙ୍କୁ ବିଜେପିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା

Comments are closed.