ବିଧାନସଭା ନିର୍ବାଚନ: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ସରକାର, କଂଗ୍ରେସ ତେଲେଙ୍ଗାନାରେ ସନ୍ତୁଷ୍ଟ | News Room Odisha

ବିଧାନସଭା ନିର୍ବାଚନ: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ସରକାର, କଂଗ୍ରେସ ତେଲେଙ୍ଗାନାରେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ଲୋକସଭା ଲଢ଼େଇ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଏହି ଚାରି ରାଜ୍ୟର ନିର୍ବାଚନରେ ବିଜେପି ୩-୧ରେ ବାଜି ମାରିନେଇଛି । ବିଜେପି ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିଥିବା ବେଳେ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସକୁ ଗାଦିଚ୍ୟୁତ କରି ସରକାର ଗଠନ କରିବାର ନିକଟତର ହୋଇଛି । ଅନ୍ୟପକ୍ଷରେ କଂଗ୍ରେସକୁ କେବଳ ତେଲେଙ୍ଗାନାରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହି ଦକ୍ଷିଣ ରାଜ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)କୁ ହଟାଇ କ୍ଷମତା ହାତେଇବାକୁ ଯାଉଛି କଂଗ୍ରେସ ।

ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହୋଇଥିବାବେଳେ ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହୋଇଥିଲା। ସୋମବାର ମିଜୋରାମରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହେବ।

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ତିନିଟି ହିନ୍ଦୀ ଭାଷୀ ରାଜ୍ୟରେ ବିଜୟ ବିଜେପିକୁ ଉତ୍ସାହିତ କରିଥିବାବେଳେ ଏହି ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ କୌଣସି ବଡ଼ ଝଟକାରୁ କମ୍ ନୁହେଁ । କାରଣ ନିଜ ସରକାର ଥିବା ଦୁଇଟି ରାଜ୍ୟରେ ବିଜେପିଠୁ ହାରିଛି କଂଗ୍ରେସ ।

ବିଧାନସଭା ନିର୍ବାଚନ ହୋଇଥିବା ଏହି ପାଞ୍ଚଟି ରାଜ୍ୟରେ ୮୪ଟି ଲୋକସଭା ଆସନ ଅଛି । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପର୍ଯ୍ୟାୟ।

ନିର୍ବାଚନ କମିଶନଙ୍କ ଠାରୁ ଅପରାହ୍ନ ୪ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ବିଜେପି ୨୩୦ ସଦସ୍ୟ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ୧୦ଟି ସିଟ୍ ଜିତିସାରିଛି ଏବଂ ୧୫୬ଟି ଆସନରେ ଆଗୁଆ ରହିଛି। ଦଳ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରୁଥିବା ମନେ ହେଉଛି | ଅନ୍ୟପକ୍ଷରେ କଂଗ୍ରେସ ଏପର୍ଯ୍ୟନ୍ତ ୩ଟି ଆସନ ଜିତିଥିବା ବେଳେ ୬୦ଟି ଆସନରେ ଅଗ୍ରଣୀ ରହିଛି । ୨୦୧୮ ଅପେକ୍ଷା କଂଗ୍ରେସକୁ ବହୁତ କ୍ଷତି ହୋଇଛି ।

ମଧ୍ୟପ୍ରଦେଶର ବିଜେପି କର୍ମୀଙ୍କ ମଧ୍ୟରେ ବିଜୟ ଉତ୍ସବ ଆରମ୍ଭ ହୋଇଯାଇଛି। ଭୋପାଳର ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀମାନେ ବାଜା ବଜେଇ ନାଚ କରିବା ସହ ପରସ୍ପରକୁ ମିଠା ବାଣ୍ଟୁଥିବା ଦେଖିବାକୁ ମିଳିଛି ।

ରାଜସ୍ଥାନରେ ମଧ୍ୟ ବିଜେପି ଶାସକ କଂଗ୍ରେସଠାରୁ ବହୁ ଆଗରେ ରହିଛି। ଗତ ତିନି ଦଶନ୍ଧି ଧରି ପ୍ରତି ନିର୍ବାଚନରେ ରାଜସ୍ଥାନର ଲୋକେ ସରକାର ପରିବର୍ତ୍ତନ କରୁଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଏବଂ ଟ୍ରେଣ୍ଡରୁ ଏହି ପରମ୍ପରା ଏଥର ମଧ୍ୟ ଜାରି ରହିବା ସ୍ପଷ୍ଟ ହୋଇଛି | ରାଜ୍ୟରେ ଏଯାବତ୍ ବିଜେପି ୩୦ଟି ଆସନ ଜିତିଥିବାବେଳେ ଏହାର ପ୍ରାର୍ଥୀମାନେ ୮୪ ଟି ଆସନରେ ଆଗୁଆ ଅଛନ୍ତି। କଂଗ୍ରେସ ୧୯ଟି ଆସନ ଜିତିସାରିଛି । ଦଳ ଆଉ ୫୧ ଆସନରେ ଆଗରେ ରହିଛି। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ଗୋଟିଏ ଆସନରେ ଭୋଟ୍ ସ୍ଥଗିତ ଥିବାରୁ ରାଜ୍ୟର ୧୯୯ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା।

ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ କେବେ ସ୍ଥିର ହେବ ବୋଲି ପଚରାଯିବାରୁ ରାଜ୍ୟରେ ବିଜେପିର ନିର୍ବାଚନ ଦାୟିତ୍ୱରେ ଥିବା ଯୋଶୀ କହିଛନ୍ତି ଏହା ଖୁବ ଶୀଘ୍ର ଏବଂ ସହଜରେ ହେବ।

ଜୟପୁରରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଉପରେ କଟାକ୍ଷ କରି କହିଛନ୍ତି, ଲୋକମାନେ ‘ଯାଦୁକର’ର ଯାଦୁରୁ ବାହାରି ଆସିଛନ୍ତି।

ସେ କହିଛନ୍ତି, “ଯାଦୁ ଶେଷ ହୋଇଛି ଏବଂ ରାଜସ୍ଥାନ ଯାଦୁକରଙ୍କ ଯାଦୁରୁ ମୁକ୍ତ ହୋଇଛି। ମହିଳାମାନେ ମହିଳାଙ୍କ ସମ୍ମାନ ଏବଂ ଗରିବଙ୍କ କଲ୍ୟାଣ ପାଇଁ ଜନାଦେଶ ଦେଇଛନ୍ତି।

ଗେହଲୋଟ୍ ଯାଦୁକର ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ପିତାଙ୍କୁ ଏହି କୌଳିକ ବୃତିରେ ସାହାଯ୍ୟ କରୁଥିଲେ |

ରାଜସ୍ଥାନର ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ‘ଯାଦୁ’ ମରୁଭୂମିରେ କାମ କରୁନାହିଁ।

ଛତିଶଗଡରେ ମଧ୍ୟ କଂଗ୍ରେସକୁ ଝଟକା ଲାଗିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଶାସକ କଂଗ୍ରେସ ବିଜେପିଠାରୁ ଆଗରେ ଥିଲା । ଲାଗୁଥିଲା ଦଳ ସତ୍ତା ବଜାୟ ରଖିବ । ମଝିରେ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ମଧ୍ୟ ହୋଇଥିଲା । କିନ୍ତୁ ପରେ କଂଗ୍ରେସକୁ ପଛରେ ପକାଇ ଆଗକୁ ମାଡ଼ି ଚାଲିଥିଲା ବିଜେପି । ରାଜ୍ୟର ୯୦ଟି ଆସନ ମଧ୍ୟରୁ ୫୬ଟିରେ ବିଜେପି ଅଗ୍ରଣୀ ଥିବାବେଳେ କଂଗ୍ରେସ ୩୨ଟି ଆସନରେ ଆଗୁଆ ରହିଛି। ବହୁଜନ ସମାଜ ପାର୍ଟି (ବିଏସପି) ଏବଂ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି (ଗୋଙ୍ଗପା) ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛନ୍ତି।

ରାଜନୈତିକ ଦୃଷ୍ଟିରୁ ନିଜକୁ ମଜବୁତ କରିବାକୁ ପ୍ରୟାସ କରୁଥିବା କଂଗ୍ରେସ ତେଲେଙ୍ଗାନାରେ କେ.ଚନ୍ଦ୍ରଶେଖର ରାଓଙ୍କ ‘ହ୍ୟାଟ୍ରିକ୍’ ଆଶା ଧୂଳିସାତ୍ କରିଦେଇଛି । ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରୁ କ୍ଷମତା ଛଡ଼ାଇ ନେବାକୁ ନିକଟତର ହୋଇଛି କଂଗ୍ରେସ।

ସଦ୍ୟତମ ସୂଚନା ମୁତାବକ ୧୧୯ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ କଂଗ୍ରେସ ୧୦ଟି ଆସନ ଜିତିସାରିଥିବା ବେଳେ ୫୩ ସିଟରେ ଆଗୁଆ ରହିଛି। ବିଆରଏସ ୬ଟି ଆସନ ଜିତିଛି ଓ ୩୪ ଆସନରେ ଅଗ୍ରଣୀ ରହିଛି। ବିଜେପି ୯, ଏଆଇଏମ୍ଏମ ୬ ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଆସନରେ ଆଗୁଆ ରହିଛନ୍ତି ।