କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବିକେୟୁର ଆଜି ମହାପଞ୍ଚାୟତ | News Room Odisha

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବିକେୟୁର ଆଜି ମହାପଞ୍ଚାୟତ

ନୂଆଦିଲ୍ଲୀ: ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବାକୁ ଦାବି କରୁଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଭାରତୀୟ କିସାନ ୟୁନିଅନ (ବି.କେ.ୟୁ) ଆଜି (ଜୁନ୍ ୧) ‘ମହାପଞ୍ଚାୟତ’ ଡାକିଛି। ଗୁରୁବାର ମୁଜାଫରନଗର ଜିଲ୍ଲାର ସୌରାମ ଗ୍ରାମରେ ଏକ ‘ମହାପଞ୍ଚାୟତ’ ଆୟୋଜନ କରାଯିବ ବୋଲି ବି.କେ.ୟୁ ଜାତୀୟ ସଭାପତି ନରେଶ ଟିକାୟତ ବୁଧବାର ଘୋଷଣା କରିଥିଲେ । ଏହି ମହାପଞ୍ଚାୟତରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ଏବଂ ପରବର୍ତ୍ତୀ ରଣନୀତି ସ୍ଥିର କରାଯିବ।

ନରେଶ ଟିକାୟତ କହିଛନ୍ତି ଯେ ମହାପଞ୍ଚାୟତରେ ଦିଲ୍ଲୀର ଖାପ୍ ଏବଂ କୃଷକ ଗୋଷ୍ଠୀର ପ୍ରତିନିଧୀ ସାମିଲ ହେବେ। ୟୁପି, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ପଞ୍ଜାବର କୃଷକ ନେତାମାନେ ଏଥିରେ ଅଂଶଗ୍ରହଣ କରିବେ। ଏହାଛଡ଼ା ଦେଶର ଅନ୍ୟ ପ୍ରାନ୍ତରୁ ଆସିଥିବା କୃଷକ ନେତାମାନେ ମଧ୍ୟ ଏହି ମହାପଞ୍ଚାୟତରେ ସାମିଲ ହେବା ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ, ନୂଆ ସଂସଦ ଗୃହର ଉଦଘାଟନ ଦିନ ଦିଲ୍ଲୀରେ ମହାପଞ୍ଚାୟତ ଆହ୍ବାନ କରାଯାଇଥିଲା । ଏହି ମହାପଞ୍ଚାୟତ ନୂଆ ସଂସଦ ଭବନ ସମ୍ମୁଖରେ କରିବାକୁ ଯୋଜନା କରିଥିଲେ କୁସ୍ତିଯୋଦ୍ଧା । ତେବେ ତା ପୂର୍ବରୁ ପୋଲିସ ସେମାନଙ୍କୁ ଅଟକ ରଖିଥିଲା।

ସୂଚନାଯୋଗ୍ୟ, ସାକ୍ଷୀ ମଲିକ, ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ସମେତ ବିକ୍ଷୋଭରତ ରେସଲର ନିଜ ସମର୍ଥକଙ୍କ ସହ ମଙ୍ଗଳବାର ନିଜ ପଦକ ବିସର୍ଜନ କରିବାକୁ ହରିଦ୍ଵାର ଯାଇଥିଲେ । ତେବେ ନରେଶ ଟିକାୟତ ଓ ଲୋକଙ୍କ ଅନୁରୋଧ ପରେ ଖେଳାଳିମାନେ ଗଙ୍ଗାରେ ପଦକ ବିସର୍ଜନ ଯୋଜନାରୁ ଓହରିଥିଲେ। ବ୍ରଜଭୂଷଣଙ୍କୁ ଗିରଫ କରିବା ପାଇଁ ପାଞ୍ଚ ଦିନ ସମୟ ଦେଇଥିଲେ ।