ଖଲିସ୍ତାନୀ ନେତା ନିଜ୍ଜର ହତ୍ୟାରେ ଚୀନର ହାତ ! ବ୍ଲଗରଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ: ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟା ମାମଲାରେ ନୂଆ ମୋଡ଼ । ଏହି ମାମଲାରେ ଭାରତ ଓ କାନାଡ଼ା ମଧ୍ୟରେ ତିକ୍ତତା କମିନଥିବା ବେଳେ ଚୀନର ଜଣେ ବ୍ଲଗର୍ ଚାଞ୍ଚଲ୍ୟକର ଦାବି କରିଛନ୍ତି । ନିଜ୍ଜର ହତ୍ୟାରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି)ର‌ ହାତ ରହିଛି । ଭାରତକୁ ବଦନାମ୍ କରିବା ପାଇଁ ଚୀନ୍ ଏପରି କରିଥିଲା । ନିଜ୍ଜରଙ୍କ ହତ୍ୟା କରି ଭାରତ ଓ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା‌ ଚୀନର ଉଦ୍ଦେଶ୍ୟ ଥିଲା ବୋଲି ଜେନିଫର ଜେଙ୍ଗ୍ ନାମକ ଚୀନୀ ବ୍ଲଗର୍ ଦାବି କରିଛନ୍ତି । ଜେଙ୍ଗ୍ ସମ୍ପ୍ରତି ଆମେରିକାରେ ରହୁଛନ୍ତି।

ଜେଙ୍ଗ୍ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରିଛନ୍ତି | ଏଥିରେ ସେ ନିଜ୍ଜରଙ୍କ ମୃତ୍ୟୁ ଏକ ହତ୍ୟା ବୋଲି କହିଛନ୍ତି । ଜେଙ୍ଗ୍ କହିଛନ୍ତି, ‘କାନାଡାରେ ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜ୍ଜର ହତ୍ୟାକୁ ନେଇ ସିସିପିରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଏହି ହତ୍ୟା ସିସିପି ଏଜେଣ୍ଟ କରିଛନ୍ତି । ଫ୍ରିଲାନ୍ସ ବ୍ଲଗର୍ ଜେଙ୍ଗ୍ ଏପରି ଅଭିଯୋଗ ନେଇ ଚୀନୀ ଲେଖକ ଓ ୟୁଟ୍ୟୁବର୍ ଲାଓସ ଡେଙ୍ଗଙ୍କ ଦାବି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଚଳିତ ବର୍ଷ ଜୁନ୍ ୧୮ରେ କାନାଡ଼ାର ବ୍ରିଟିଶ୍ କଲମ୍ବିଆର ସରେସ୍ଥିତ ଗୁରୁ ନାନକ ଶିଖ ଗୁରୁଦ୍ୱାର ପାର୍କିଂ ସ୍ଥଳରେ ହାର୍ଦ୍ଦିକ ସିଂ ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ନିଜ୍ଜର ହତ୍ୟା ମାମଲାରେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଅଭିଯୋଗ କରିଥିଲେ । ଟ୍ରୁଡୋଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇ ଭାରତ ଦୃଢ଼ ଖଣ୍ଡନ କରିଥିଲା ।

Comments are closed.