ସିନ୍ଦେ ଗୋଷ୍ଠୀକୁ ଝଟକା, ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଉଦ୍ଧବ ଠାକରେଙ୍କୁ ବମ୍ବେ ହାଇକୋର୍ଟଙ୍କ ଅନୁମତି

ମୁମ୍ବାଇ: ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲି କରିବାକୁ ବମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କୁ ଅନୁମତି ଦେଇଛନ୍ତି। ଅଦାଲତ ଶୁକ୍ରବାର ଏହି ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ଅକ୍ଟୋବର ୨ ରୁ ୬ ତାରିଖ ପର୍ଯ୍ୟନ୍ତ ଶିବାଜୀ ପାର୍କରେ ଦଶହରା ରାଲି ଆୟୋଜନ କରିବାକୁ ଉଦ୍ଧବ ଠାକରେଙ୍କୁ ଅନୁମତି ଦିଅନ୍ତୁ। ଅଦାଲତର ଏହି ନିଷ୍ପତ୍ତି ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଶିବାଜୀ ପାର୍କରେ ଦଶହରା ରାଲି କରିବା ପାଇଁ ଏକନାଥ ସିନ୍ଦେଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଶୁଣାଣି ବେଳେ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ୧୯୬୬ ମସିହାରୁ ଶିବାଜୀ ପାର୍କରେ ଶିବସେନା ଦଶହରା ରାଲି ଆୟୋଜନ କରିଆସୁଛି । କେବଳ କରୋନା କାଳରେ ଦୁଇବର୍ଷ ଏହା ହୋଇନଥିଲା । ଏଥର ସବୁ ପର୍ବପର୍ବାଣୀ ଅନୁଷ୍ଠିତ ହେଉଛି । ଶିବାଜୀ ପାର୍କରେ ଶିବସେନାକୁ ଦଶହରା ରାଲି ଆୟୋଜନ ପାଇଁ ମଧ୍ୟ ଅନୁମତି ଦିଆଯାଉ ।

ଅନ୍ୟପକ୍ଷରେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଥିଲା ଯେ ଏକନାଥ ସିନ୍ଦେ ଶିବସେନାର ମୁଖ୍ୟ ନେତା । ଠାକରେ ଗୋଷ୍ଠୀର ଦାବି ବିଭ୍ରାନ୍ତିକର ଏବଂ ମିଥ୍ୟା ତଥ୍ୟ ଉପରେ ଆଧାରିତ | କିନ୍ତୁ କୋର୍ଟ ସିନ୍ଦେ ଗୋଷ୍ଠୀର ଯୁକ୍ତି ରେ ସହମତ ହୋଇନଥିଲେ ।

Comments are closed.