ଆର୍ୟନଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି, ୨୬ ଦିନ ଜେଲରେ ରହିବା ପରେ ମିଳିଲା ଜାମିନ | News Room Odisha

ଆର୍ୟନଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି, ୨୬ ଦିନ ଜେଲରେ ରହିବା ପରେ ମିଳିଲା ଜାମିନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ, ମଡେଲ ମୁନମୁନ ଧମେଚା ଏବଂ ଅର୍ବାଜ ମର୍ଚାଣ୍ଟଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ତିନିଜଣଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ୨୬ ଦିନ ଜେଲରେ ରହିବା ପରେ ଶେଷରେ ଆର୍ୟନଙ୍କୁ ବେଲ୍ ମିଳିଛି । ଆର୍ୟନ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିଛନ୍ତି। ସେ ଆଉ କିଛି ସମୟ ପରେ ଜେଲରୁ ମୁକୁଳିବା ସମ୍ଭାବନା ରହିଛି ।

ଆର୍ୟନ ଓ ଅନ୍ୟ ଦୁଇ ଅଭିଯୁକ୍ତ ଅର୍ବାଜ ମର୍ଚାଣ୍ଟ ଏବଂ ମୁନମୁନ୍ ଧମେଚାଙ୍କ ଜାମିନ ଆବେଦନ ଗତ ତିନି ଦିନ ଧରି ବମ୍ବେ ହାଇକୋର୍ଟରେ ଚାଲିଥିଲା । ଆଜି ଏନସିବି କୋର୍ଟରେ ନିଜ ପକ୍ଷ ରଖିବା ସହ ଆର୍ୟନଙ୍କ ଜାମିନକୁ ଦୃଢ଼ ବିରୋଧ କରିଥିଲା। ଏନସିବି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ ଯୁକ୍ତି କରିଥିଲେ ଯେ ଆର୍ଯ୍ୟନ୍ ପ୍ରାୟ ଦୁଇ ବର୍ଷ ଧରି ଡ୍ରଗ୍ସ ଖାଉଛନ୍ତି ଏବଂ ଏହି ଷଡଯନ୍ତ୍ରର ଏକ ଅଂଶ। ସେ କ୍ରୁଜରେ ଡ୍ରଗ୍ସ ବିଷୟରେ ଅବଗତ ଥିଲେ। ଆର୍ଯ୍ୟଙ୍କୁ ଜାମିନ ଦିଆଯାଇପାରିବ ନାହିଁ।

ଏହା ଉପରେ କୋର୍ଟ ପଚାରିଥିଲେ, ଆର୍ୟନଙ୍କ ଡ୍ରଗ୍ସ କାରବାର ଅଭିଯୋଗର ଆଧାର କ’ଣ? ଏହି ପ୍ରଶ୍ନ ଉପରେ ଏନସିବି କହିଥିଲା ଯେ ଆର୍ୟନଙ୍କ ହ୍ବାଟସଆପ୍ ଚାଟରୁ ଏହି ମାମଲା ସାମ୍ନାକୁ ଆସିଛି। ଏନସିବିର ଏହି ଦାବି ପରେ ଆର୍ୟନଙ୍କ ପାଇଁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଏନସିବି ଷଡଯନ୍ତ୍ରର ପ୍ରମାଣ ଦେବା ଉଚିତ୍। ତାଙ୍କ ବନ୍ଧୁଙ୍କ ପାଖରେ ଡ୍ରଗ୍ସ ଅଛି ବୋଲି ଆର୍ୟନ ଜାଣି ନଥିଲେ। ଆର୍ଯ୍ୟନ୍ ଖାନ୍ କୌଣସି ଷଡଯନ୍ତ୍ର କରିନାହାଁନ୍ତି ବୋଲି ରୋହତଗୀ କହିଥିଲେ ।

ଅକ୍ଟୋବର ୨ରେ କ୍ରୁଜ୍ ଜାହାଜରେ ଚଢାଉ କରି ଏନସିବି ଆର୍ୟନ ଖାନ, ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କୁ ଗିରଫ କରିଥିଲା। ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ନେତୃତ୍ୱରେ ଏହି ଟିମ୍ କ୍ରୁଜ୍ ଉପରେ ରେଡ୍ କରି ଡ୍ରଗ୍ସ ମଧ୍ୟ ଜବତ କରିଥିଲା। ଏହି ମାମଲାରେ ଏନସିବି ୨୦ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରୁ ପୂର୍ବରୁ ଦୁଇଜଣ ଜାମିନ ପାଇଥିଲେ।

ଏନଡିପିଏସ୍ ସ୍ୱତନ୍ତ୍ର କୋର୍ଟ ପୂର୍ବରୁ ଆର୍ୟନଙ୍କ ସହ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ
ଜାମିନ ଆବେଦନ ଖାରଜ କରିଦେଇଥିଲେ । ଏହା ପରେ ସେମାନେ ଗତ ସପ୍ତାହରେ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

Aryan Khan Drug CaseAryan Khan's bail