'ନିଜକୁ ସଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ ପରି ମନେକଲି' | News Room Odisha

‘ନିଜକୁ ସଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ ପରି ମନେକଲି’

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ତାଙ୍କୁ ଯେଉଁଭଳି ଭବ୍ୟ ସ୍ୱାଗତ ଦିଆଯାଇଛି ସେଥିପାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସ୍ବତନ୍ତ୍ର ବନ୍ଧୁ ଭାବେ ଅଭିହିତ କରି ସେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତବାସୀଙ୍କୁ ଏହି ସ୍ବାଗତ ପାଇଁ ଧନ୍ୟବାଦ ଦେଉଛି। ମୋର ଆଗମନରେ ମୋତେ ଯେଉଁଭଳି ସ୍ୱାଗତ କରାଯାଇଥିଲା, ମୁଁ ନିଜକୁ ସଚିନ ତେନ୍ଦୁଲକର ଏବଂ ଅମିତାଭ ବଚ୍ଚନ ବୋଲି ମନେ କରିଥିଲି।”

ଜନସନ ତାଙ୍କ ଭାରତ ଗସ୍ତ ବିଷୟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଗୁଜରାଟରେ ତାଙ୍କ ସ୍ୱାଗତକୁ ନେଇ ଜନସନ ବହୁତ ଖୁସି ବ୍ୟକ୍ତ କରିଥିଲେ । ଜନସନ କହିଥିଲେ ଯେ ମୋତେ ଲାଗୁଥିଲା ଯେମିତି ମୁଁ ସଚିନ ଏବଂ ଅମିତାଭ | ଅହମ୍ମଦାବାଦର ସମସ୍ତ ରାସ୍ତାରେ ମୋର ପୋଷ୍ଟର ଦେଖି ମୁଁ ଅଭିଭୂତ ହୋଇଯାଇଥିଲି |

ଶୁକ୍ରବାର ଜନସନ ଓ ମୋଦି ଦୁଇ ଦେଶ ମଧ୍ୟରେ ରଣନୀତିକ ପ୍ରତିରକ୍ଷା, କୂଟନୈତିକ ଏବଂ ଅର୍ଥନୈତିକ ସହଭାଗିତା ଉପରେ ବ୍ୟାପକ ଆଲୋଚନା କରିଛନ୍ତି ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ଆଜି ସକାଳେ କହିଛନ୍ତି, “ସେମାନେ (ଗୁଜୁରାଟର ଲୋକମାନେ) ଆମକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହା ସମ୍ପୂର୍ଣ୍ଣ ଅସାଧାରଣ ଥିଲା। ମୁଁ ଏପରି ଆନନ୍ଦଦାୟକ ସ୍ୱାଗତ କେବେ ଦେଖି ନାହିଁ।”

ଜନସନ କହିଛନ୍ତି, “ମୁଁ ବିଶ୍ବର ଅନ୍ୟ କୌଣସି ସ୍ଥାନରେ ଏପରି ସ୍ୱାଗତ ପାଇନାହିଁ। ପ୍ରଥମ ଥର ପାଇଁ ଆପଣଙ୍କ (ପିଏମ ମୋଦି) ଙ୍କ ଘର ଦେଖିବା ସ୍ବତନ୍ତ୍ର ଅନୁଭୂତି ଥିଲା।”

ଏହାପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଆଜି ରାଜଘାଟରେ ପୁଷ୍ପମାଲ୍ୟ ଅର୍ପଣ କରି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।