ରିଚାର୍ଲିସନଙ୍କ ଡବଲ୍ ଗୋଲ୍, ବିଜୟରୁ ଅଭିଯାନ ଆରମ୍ଭ କଲା ବ୍ରାଜିଲ

ଦୋହା: ପାଞ୍ଚ ଥର ବିଶ୍ଵ ଚାମ୍ପିଅନ୍ ବ୍ରାଜିଲ୍ ବିଜୟରୁ ଫିଫା ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। ରିଚାର୍ଲିସନଙ୍କ ଡବଲ୍ ଗୋଲ୍ ବଳରେ ଗୁରୁବାର ଲୁସାଲି ଷ୍ଟାଡିୟମରେ ଅନୁଷ୍ଠିତ ଗ୍ରୁପ୍ ଜି’ର ଏକ ମ୍ୟାଚ୍‌ରେ ଟାଇଟଲ୍ ଦାବିଦାର ବ୍ରାଜିଲ ୨-୦ ଗୋଲରେ ସର୍ବିୟାକୁ ହରାଇଛି ।

ତାରକା ଖଚିତ ବ୍ରାଜିଲ୍ ମ୍ୟାଚରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ଜାହିର କରିବ ବୋଲି ଆଶା କରାଯାଉଥିଲା । ମାତ୍ର ସର୍ବିୟା ପ୍ରଥମାର୍ଦ୍ଧରେ ଏହି ହେଭିଓ୍ବେଟ୍ ଦଳକୁ କୌଣସି ଗୋଲ୍ ସ୍କୋରିଂ ସୁଯୋଗ ଦେଇନଥିଲା । ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିଥିଲା।

ଦ୍ଵିତୀୟାର୍ଦ୍ଧରେ ବ୍ରାଜିଲ ଲୟକୁ ଫେରିଥିଲା । ବ୍ରାଜିଲ୍ ଉଭୟ ପାର୍ଶ୍ଵରୁ ଆକ୍ରମଣ ଜାରି ରଖି ଏକାଧ୍ଯକ ସୁଯୋଗ ସୃଷ୍ଟି କରିଥିଲା । ସର୍ବିୟା ଡିଫେଣ୍ଡରମାନେ ବ୍ରାଜିଲ୍‌କୁ ଅଟକାଇବାରେ ହେଳା କରିନଥିଲେ। ୬୨ତମ ମିନିଟ୍‌ରେ ଗୋଲ୍ ଖାତା ଖୋଲିଥିଲା ବ୍ରାଜିଲ। ବାମ ପାର୍ଶ୍ଵରୁ ଖେଳୁଥ‌ିବା ଭିନିସିୟସ ଜୁନିୟରଙ୍କ ଏକ ଲୋ କ୍ରସ୍‌କୁ ନେୟମାର ଗୋଲ ପୋଷ୍ଟରେ ପହଞ୍ଚାଇବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ନିକଟରେ ଥିବା ରିଚାର୍ଲି ସନଏକ ଶକ୍ତିଶାଳୀ ଭଲି ବଳରେ ଗୋଲ୍ ପୋଷ୍ଟରେ ବଲ୍ ପହଞ୍ଚାଇ ଦେଇଥିଲେ ଏବଂ ବ୍ରାଜିଲକୁ ୧-୦ରେ ଅଗ୍ରଣୀ କରାଇଥିଲେ । ୧୧ମିନିଟ୍ ମଧ୍ଯରେ ଦ୍ବିତୀୟ ଗୋଲ ସ୍କୋର କରିଥିଲା ବ୍ରାଜିଲ ।

ଭିନିସିୟସଙ୍କ ଏକ କ୍ରସ୍‌କୁ ରିଚାର୍ଲସନ ବାଇ ସାଇକେଲ୍ କିକ୍ ଜରିଆରେ ବଲ୍‌କୁ ସର୍ବିୟା ଗୋଲ ପୋଷ୍ଟ ଭିତରକୁ ପଠାଇ ଦେଇଥିଲେ । ନେୟମାରଙ୍କ ପରେ ପ୍ରଥମ ଖେଳାଳି ଭାବେ ରିଚାଲିସନ୍ ବିଶ୍ଵକପ୍ ପଦାର୍ପଣ ମ୍ୟାଚରେ ଡବଲ ଗୋଲ୍ କରିଥିଲେ। ୮୧ତମ ମିନିଟ୍‌ରେ କ୍ୟାସେମିରୋଙ୍କ ଏକ ପ୍ରୟାସ ବିଫଳ ହୋଇଥିଲା ।

Comments are closed.