ବୁମରାଙ୍କ ବିଶ୍ବ ରେକର୍ଡ, ବ୍ରଡଙ୍କ ଗୋଟିଏ ଓଭରରୁ ୩୫ ରନ୍ ସଂଗ୍ରହ କଲେ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଶନିବାର ଟିମ୍ ଇଣ୍ଡିଆ ଅଧିନାୟକ ଯଶପ୍ରୀତ ବୁମରା ଗୋଟିଏ ଓଭରରେ ସର୍ବାଧିକ ରନ୍ ସଂଗ୍ରହ କରି ବିଶ୍ଵ ରେକର୍ଡ କରିଛନ୍ତି । ଏହି ରେକର୍ଡ ସେ କୌଣସି ଅନାମଧ୍ୟେୟ ବୋଲର ନୁହେଁ ବରଂ ଇଂଲଣ୍ଡର ଦ୍ବିତୀୟ ସର୍ବାଧିକ ଓ୍ବିକେଟ୍ ହାସଲକାରୀ ବୋଲର୍ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ କରିଛନ୍ତି । ବ୍ରଡଙ୍କ ଏକ ଓଭରରେ ବୁମରା ୩୫ ରନ୍ ସଂଗ୍ରହ କରିଥିଲେ।

ଏଥିମଧ୍ୟରୁ ୨୯ ରନ୍ ବୁମରାଙ୍କ ବ୍ୟାଟରୁ ଆସିଥିବା ବେଳେ ଅବଶିଷ୍ଟ ୬ ରନ୍ ଅତିରିକ୍ତ ଥିଲା । ସେହି ଓଭରରେ ବୁମରା ତିନି ଚୌକା ଓ ଦୁଇଟି ଛକା ମାରିଥିଲେ। ବ୍ରଡଙ୍କୁ ବୁମରାଙ୍କ ଏପରି ପ୍ରହାର କରିବା ଦେଖି ପ୍ରଶଂସକଙ୍କ ୨୦୦୭ ଟି-୨୦ ବିଶ୍ବକପରେ ଯୁବରାଜ ସିଂହଙ୍କ ଇନିଂସ୍ ମନେ ପଡ଼ିଯାଇଥିଲା । ସେହି ବିଶ୍ୱକପରେ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ ଯୁବରାଜ ।

ବ୍ରଡଙ୍କ ଗୋଟିଏ ଓଭରରେ ୩୫ ରନ୍ ଉଠାଇ ବୁମରା ଓ୍ବେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିଛନ୍ତି। ଲାରା ୨୦୦୩ରେ ଜୋହାନ୍ସବର୍ଗ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବୋଲର ରବିନ ପିଟରସନଙ୍କ ଏକ ଓଭରରେ ୨୮ ରନ୍ ସଂଗ୍ରହ କରିଥିଲେ । ଲାରାଙ୍କ ଏହି ୧୮ ବର୍ଷ ରେକର୍ଡକୁ ଏବେ ବୁମରା ଭାଙ୍ଗିଛନ୍ତି ।

ଏଜବାଷ୍ଟନ ଟେଷ୍ଟର ଦ୍ବିତୀୟ ଦିବସରେ ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ। ସେ ୧୦୪ ରନର ଏକ ଲଢୁଆ ଇନିଂସ ଖେଳିଥିଲେ। ଭାରତ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର୍ ୩୩୮/୭ରୁ ଖେଳ ଆରମ୍ଭ କରି ୪୧୬ରେ ଅଲ୍ଆଉଟ୍ ହୋଇଥିଲା ।

ଏପରି ଥିଲା ଷ୍ଟୁଆର୍ଟ ବ୍ରଡଙ୍କ ଓଭର..
୮୩.୧ ଓଭର – ୪ ରନ୍ |
୮୩.୨ ଓଭର – ଓ୍ବାଇଡ୍+୪= ୫ ରନ୍ |
୮୩.୨ ଓଭର – ୬ ରନ୍ + ନୋ ବଲ୍ |
୮୩.୨ ଓଭର – ୪ ରନ୍ |
୮୩.୩ ଓଭର – ୪ ରନ୍ |
୮୩.୪ ଓଭର – ୪ ରନ୍ |
୮୩.୫ ଓଭର – ୬ ରନ୍ |
୮୩.୬ ଓଭର – ୧ ରନ୍ |

Comments are closed.