ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ: ଶୀର୍ଷ ମାନ୍ୟତା ହରାଇଲେ ବୁମ୍ରା | News Room Odisha

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ: ଶୀର୍ଷ ମାନ୍ୟତା ହରାଇଲେ ବୁମ୍ରା

ଦୁବାଇ: ଆଇସିସିର ସଦ୍ୟତମ ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟ ପେସର ଜସପ୍ରୀତ ବୁମ୍ରା ନମ୍ବର ଓ୍ବାନ୍ ମାନ୍ୟତା ହରାଇଛନ୍ତି । ସଦ୍ୟ ପ୍ରକାଶିତ ତାଲିକାରେ ଏହି ଷ୍ଟାର୍ ବୋଲର୍ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ତାଲିକାରେ ୧୩ ସ୍ଥାନ ଉଠି ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତ ଦିନିକିଆ ସିରିଜରେ ଇଂଲଣ୍ଡକୁ ୨-୧ରେ ହରାଇଥିଲା । ପିଠି ସମସ୍ୟା ଯୋଗୁଁ ବୁମରା ଶେଷ ମ୍ୟାଚ୍ ଖେଳିପାରିନଥିଲେ । ଯାହା ଫଳରେ ତାଙ୍କୁ ଶୀର୍ଷ ସ୍ଥାନ ହରାଇବାକୁ ପଡ଼ିଛି ​​। ସିରିଜର ପ୍ରଥମ ମ୍ୟାଚରେ ବୁମ୍ରା ୬ ୱିକେଟ୍ ନେଇ ଗତ ସପ୍ତାହରେ ର଼୍ୟାଙ୍କିଙ୍ଗ୍ ଶୀର୍ଷରେ ପହଞ୍ଚିଥିଲେ ।

ନ୍ୟୁଜିଲ୍ୟାଣ୍ଡର ବାମହାତୀ ପେସର ଟ୍ରେଣ୍ଟ ବୋଲ୍ଟ ୭୦୪ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ବୁମ୍ରା ତାଙ୍କଠାରୁ ଗୋଟିଏ ପଏଣ୍ଟ ପଛରେ ଅଛନ୍ତି। ୟୁଜବେନ୍ଦ୍ର ଚହଲ ଚାରିଟି ସ୍ଥାନ ଉଠି ୨୦ ରୁ ୧୬ ତମ ସ୍ଥାନରେ ପହଞ୍ଚଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜରେ ୬ଟି ୱିକେଟ୍ ନେବା ସହ ୧୦୦ ରୁ ଅଧିକ ରନ୍ କରିଥିବା ପାଣ୍ଡ୍ୟା ବ୍ୟାଟ୍ସମ୍ୟାନ୍ ର଼୍ୟାଙ୍କିଙ୍ଗରେ ଆଠଟି ସ୍ଥାନ ଲମ୍ଫ ଦେଇ ୪୨ ତମ ସ୍ଥାନ ହାସଲ କରିଛନ୍ତି । ଶେଷ ଦିନିକିଆରେ ଅପରାଜିତ ୧୨୫ ରନ୍ କରିଥିବା ରିଷଭ ଷଭ ପନ୍ତ ୨୫ ସ୍ଥାନ ଉଠି ୫୨ ତମ ସ୍ଥାନରେ ପହଞ୍ଚଛନ୍ତି ।

ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମ ପ୍ରଥମ ସ୍ଥାନରେ ଅଛନ୍ତି। ବିରାଟ କୋହଲି ଚତୁର୍ଥ ଏବଂ ରୋହିତ ଶର୍ମା ପଞ୍ଚମ ସ୍ଥାନକୁ ଖସିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ରସି ୱାନ୍ ଡେର୍ ଡୁସେନ୍ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ପାକିସ୍ତାନର ଇମାମ-ଉଲ-ହକ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଚାରୋଟି ସ୍ଥାନ ଖସି ଟପ୍ ୧୦ରୁ ବାଦ୍ ପଡିଛନ୍ତି । ଏହି ସପ୍ତାହରେ ଟେଷ୍ଟ ର଼୍ୟାଙ୍କିଙ୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ ।