ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରୁ ବଞ୍ଚିତ ହେବେ ରୋହିତ, ବୁମରା ନେବେ ନେତୃତ୍ବ

ଲଣ୍ଡନ: କରୋନା ସଂକ୍ରମିତ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରୁ ବଞ୍ଚିତ ହେବେ । ଏନେଇ ବିସିସିଆଇ ପକ୍ଷରୁ ଔପଚାରିକ ଘୋଷଣା ହୋଇନଥିଲେ ମଧ୍ୟ ଭାରତୀୟ ଦଳ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି । ରୋହିତଙ୍କ ସ୍ଥାନରେ ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦଳର ନେତୃତ୍ବ ନେବେ । ଇଂଲଣ୍ଡ ଗସ୍ତରେ ଅଭ୍ୟାସ ମ୍ୟାଚ୍ ସମୟରେ ରୋହିତ କରୋନା ସଂକ୍ରମିତ ହୋଇଥିଲେ। ସୂଚନା ଅନୁଯାୟୀ, ରୋହିତ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇନାହାଁନ୍ତି ଏବଂ ସେ ଜୁଲାଇ ୧ରୁ ଆରମ୍ଭ ହେଉଥିବା ଟେଷ୍ଟରେ ଖେଳିପାରିବେ ନାହିଁ। ଅନ୍ୟପକ୍ଷରେ, ଯଦି ବୁମରା ଦଳର ନେତୃତ୍ବ ନିଅନ୍ତି, ତେବେ ୩୫ ବର୍ଷ ପରେ ଜଣେ ଦ୍ରୁତ ବୋଲର ଭାରତ ଅଧିନାୟକ ହେବେ | ଶେଷ ଥର ପାଇଁ କପିଳ ଦେବ ଦ୍ରୁତ ବୋଲର ଭାବେ ଭାରତର ଟେଷ୍ଟ ଅଧିନାୟକ ହୋଇଥିଲେ।

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଟେଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ଏଭଳି ପରିସ୍ଥିତିରେ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ନିର୍ଣ୍ଣାୟକ ହେବ। ଯଦି ଭାରତୀୟ ଦଳ ମ୍ୟାଚ୍ ଜିତେ କିମ୍ବା ଡ୍ର ’ମଧ୍ୟ କରେ, ତେବେ ୨୦୦୭ ପରେ ପ୍ରଥମ ଥର ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତିବ | ଏବଂ ଇଂଲଣ୍ଡ ପାଇଁ ଏହା ଏକ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି | ଯଦି ଘରୋଇ ଦଳ ମ୍ୟାଚ୍ ଡ୍ର କରେ, ତେବେ ବି ସିରିଜ୍ ପରାଜୟର ସାମ୍ନା କରିବାକୁ ପଡ଼ିବ | ଏଭଳି ସ୍ଥିତିରେ ଇଂଲଣ୍ଡ ମ୍ୟାଚ୍ ଜିତି ସିରିଜକୁ ୨-୨ରେ ଡ୍ର’ କରିବାକୁ ଚାହିଁବ | ନୂଆ ଅଧିନାୟକ ବେନ୍ ଷ୍ଟୋକ୍ସ ଓ ନୂଆ କୋଚ୍ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ତତ୍ତ୍ଵାବଧାନରେ ଇଂଲଣ୍ଡ ନିକଟରେ ବିଶ୍ୱ ଟେଷ୍ଟ ଚାମ୍ପିୟନ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି । ତେଣୁ ଦଳର ମନୋବଳ ଦୃଢ଼ ରହିଛି।

ପଞ୍ଚମ ଟେଷ୍ଟ ମ୍ୟାଚ୍ ବ୍ୟତୀତ ଟିମ୍ ଇଣ୍ଡିଆ ଏହି ଗସ୍ତରେ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବ |

Comments are closed.