ତିନି ଲୋକସଭା, ୭ ବିଧାନସଭା ଆସନରେ ଆଜି ଉପନିର୍ବାଚନ

ନୂଆଦିଲ୍ଲୀ: ତିନୋଟି ଲୋକସଭା ଆସନ ଏବଂ ସାତଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଆଜି ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି | ଉପନିର୍ବାଚନ ହେଉଥିବା ତିନୋଟି ଲୋକସଭା ଆସନ ହେଉଛି ଉତ୍ତର ପ୍ରଦେଶର ରାମପୁର ଏବଂ ଆଜମଗଡ ଓ ପଞ୍ଜାବର ସଙ୍ଗରୁର । ଏହାଛଡ଼ା ଦିଲ୍ଲୀ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତ୍ରିପୁରାର ସାତୋଟି ବିଧାନସଭା ଆସନରେ ମଧ୍ୟ ଭୋଟ୍ ଗ୍ରହଣ କରାଯାଉଛି। ଏହି ଉପ ନିର୍ବାଚନ ଫଳାଫଳ ଜୁନ୍ ୨୬ରେ ପ୍ରକାଶ ପାଇବ |

ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା ପରେ ଆଜମଗଡ ଆସନ ଖାଲି ପଡ଼ିଥିଲା । ସେହିପରି ବରିଷ୍ଠ ଏସପି ନେତା ଆଜମ ଖାନ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ରାମପୁର ଆସନ ଖାଲି ପଡ଼ିଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ପଞ୍ଜାବର ସଙ୍ଗରୁର ଲୋକସଭା ଆସନରେ ମଧ୍ୟ ମତଦାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ ଏଠାରେ ବ୍ୟାପକ ପ୍ରଚାର କରିଥିଲେ ଏବଂ ସୋମବାର ଆପ୍ ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସହ ଏକ ରୋଡ୍ ଶୋ’ କରିଥିଲେ। ଦଳୀୟ ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ ମାନ୍ ଓ କେଜ୍ରିୱାଲ । ସିଂ ମଧ୍ୟ ଦଳର ସଙ୍ଗରୁର ଜିଲ୍ଲା ଦାୟିତ୍ୱରେ ଅଛନ୍ତି।

ତ୍ରିପୁରାର ଅଗରତାଲା, ଟାଉନ୍ ବାରଦୋୱାଲି, ସୁରମା ଏବଂ ଜୁବରାଜନଗର ବିଧାନସଭା ଆସନରେ ମଧ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି | ସେପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଝାଡଖଣ୍ଡ ରାଞ୍ଚି ଜିଲ୍ଲାର ମନ୍ଦାର ବିଧାନସଭା ଆସନରେ ମତଦାନ ଚାଲିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦିଲ୍ଲୀରେ ରାଜୀନ୍ଦର ନଗର ଉପ ନିର୍ବାଚନ ପାଇଁ ମଧ୍ୟ ମତଦାନ ଆରମ୍ଭ ହୋଇଛି।

ଆଜି ଆନ୍ଧ୍ରପ୍ରଦେଶର ଆତ୍ମାକୁର ବିଧାନସଭା ଆସନରେ ମଧ୍ୟ ମତଦାନ ଚାଲିଛି। ଆନ୍ଧ୍ରପ୍ରଦେଶର ଶାସକ ଓ୍ବାଇଏସ୍ଆର କଂଗ୍ରେସର ବିଶ୍ୱାସ ଯେ ରାଜ୍ୟର ଏସପିଏସ ନେଲୋର ଜିଲ୍ଲାର ଆତ୍ମାକୁର ବିଧାନସଭା ଆସନ‌ ପାଇଁ ​​ଉପନିର୍ବାଚନ ଦଳ‌ ପାଇଁ ସହଜ ହେବ । କିନ୍ତୁ ଭାରତୀୟ ଜନତା ପାର୍ଟି ଓ୍ବାଇଏସ୍ଆର କଂଗ୍ରେସକୁ କଡ଼ା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି ।

Comments are closed.