କଂଗ୍ରେସ ଛାଡ଼ିବେ କ୍ୟାପଟେନ୍ ? ସୋନିଆଙ୍କୁ କହିଲେ ଆଉ ଅପମାନ ସହିପାରିବିନି

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ପଦରୁ ଏବଂ କଂଗ୍ରେସ ଦଳରୁ ଇସ୍ତଫା ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ ନବଜୋତ ସିଦ୍ଧୁ ଡାକିଥିବା ବିଧାୟକଙ୍କ ବୈଠକ ପୂର୍ବରୁ ଅମରିନ୍ଦର ସିଂ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଛନ୍ତି । ସେ ଆଉ ଅପମାନ ସହି ପାର୍ଟିରେ ରହିପାରିବେ ନାହିଁ ବୋଲି ଅମରିନ୍ଦର କୁଆଡେ଼ ସୋନିଆଙ୍କୁ ସିଧା କହିଥିବା ଜଣାପଡିଛି ।

ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଆଜି ଚଣ୍ଡିଗଡ଼ରେ ବିଧାୟକଙ୍କ ଏକ ବୈଠକ ପଞ୍ଜାବ କଂଗ୍ରେସ ସରକାରରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନା ଜଳ୍ପନାର କାରଣ ହୋଇଛି। ସୂଚନା ଅନୁଯାୟୀ, ଅମରିନ୍ଦର ସିଂ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦଳ ଛାଡ଼ିବେ ବୋଲି ଚେତାବନୀ ଦେଇଛନ୍ତି । ତାଙ୍କୁ ଏଭଳି ଅପମାନ ଯଥେଷ୍ଟ ହେଇଗଲା । ତୃତୀୟ ଥର ପାଇଁ ସେ ଏଭଳି ସ୍ଥିତିର ସାମ୍ନା କରୁଛନ୍ତି। ମୁଁ ଏଭଳି ଅପମାନ ସହ ପାର୍ଟିରେ ରହିପାରିବି ନାହିଁ ବୋଲି ଅମରିନ୍ଦର ସୋନିଆଙ୍କୁ କହିଛନ୍ତି ।

ଗତ କିଛି ମାସ ଧରି ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥକ କୁହାଯାଉଥିବା ଏକ ବିଧାୟକ ଗୋଷ୍ଠୀ ଅମରିନ୍ଦର ସିଂଙ୍କ ବିରୋଧରେ ବିଦ୍ରୋହ କରି ନୂଆ ନେତା ନିଯୁକ୍ତ କରିବାକୁ ଦାବି କରିଆସୁଛନ୍ତି। ପଞ୍ଜାବର ସମ୍ଭାବ୍ୟ ନୂଆ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସୁନୀଲ ଜାଖର, ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ପ୍ରତାପ ସିଂ ବାଜୱା ଏବଂ ବିଅନ୍ତ ସିଂଙ୍କ ନାତି ତଥା ସାଂସଦ ରବନୀତ ସିଂ ବିଟୁଙ୍କ ରହିଛନ୍ତି ।

Comments are closed.