ସୋମାଲିଆ ଉପକୂଳରୁ ପଣ୍ୟବାହୀ ଜାହାଜ ଅପହୃତ, ଜାହାଜରେ ଅଛନ୍ତି ୧୫ ଭାରତୀୟ

ନୂଆଦିଲ୍ଲୀ: ସୋମାଲିଆର ସାମୁଦ୍ରିକ ସୀମା ନିକଟରେ ‘ଏମଭି ଲୀଲା ନର୍ଫାଲକ’ ନାମକ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରାଯାଇଛି।ଅପହୃତ ଜାହାଜର ଚାଳକ ଦଳରେ ୧୫ ଭାରତୀୟ ଥିବା ଜଣାପଡ଼ିଛି । ଅପହୃତ ଜାହାଜକୁ ଖୋଜିବା ପାଇଁ ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇକୁ ନିୟୋଜିତ କରିଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି କହିଛି ନୌସେନା।

ଭାରତୀୟ ନୌସେନା ଅଧିକାରୀଙ୍କ କହିବା ଅନୁଯାୟୀ ଅପହରଣ ହୋଇଥିବା ଜାହାଜର ତଲାସି ଅଭିଯାନକୁ ବ୍ୟାପକ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଏହି ଜାହାଜର ଅପହରଣ ସମ୍ପର୍କରେ ସୂଚନା ମିଳିଥିଲା। ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ଏହି ଜାହାଜରେ ଲାଇବେରିଆର ପତାକା ଲାଗିଛି | ଭାରତୀୟ ନୌସେନା ବିମାନ ଲଗାତାର ଅପହୃତ ଜାହାଜର ଚାଳକ ଦଳ ସହ ଯୋଗାଯୋଗ ସ୍ଥାପନ କରିବାରେ ସକ୍ଷମ ସୋଇଛି | ଚାଳକ ଦଳର ସବୁ ସଦସ୍ୟ ଜାହାଜ ଭିତରେ ସୁରକ୍ଷିତ ଅଛନ୍ତି |

ସୋମାଲିଆ ନିକଟରେ ଜାହାଜ ଅପହରଣ ଘଟଣା ନୂଆ ନୁହେଁ। ନିକଟରେ ସୋମାଲିଆର ଜଳଦସ୍ୟୁ ଆରବ ସାଗରରେ ମାଲ୍ଟାର ଏକ ଜାହାଜ ଏମ.ଭି ରୁଏନକୁ ହାଇଜାକ୍ କରିଥିଲେ। ପରେ ଭାରତୀୟ ନୌସେନା ଉଦ୍ୟମରେ ଜାହାଜକୁ ଉଦ୍ଧାର କରାଯାଇଥିଲା ।

Comments are closed.