ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମର ପର୍ଦ୍ଦାଫାସ୍, ୩୪ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ, ଡିଏଚ୍ଏଫ୍ଏଲ୍ ବିରୋଧରେ ମାମଲା

ନୂଆଦିଲ୍ଲୀ: ଦେଶର ପୁଣି ଏକ ବଡ଼ ବ୍ୟାଙ୍କ ସ୍କାମର ପର୍ଦ୍ଦାଫାସ୍ ହୋଇଛି। ଏହି ଘୋଟାଲାରେ ୩୪ ହଜାର କୋଟିରୁ ଅଧିକ ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି | ଏହି ମାମଲାରେ ଅଭିଯୁକ୍ତ କମ୍ପାନୀ ଦିୱାନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ଏବଂ ଏହାର ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରି ସିବିଆଇ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ଅନେକ ଆପତ୍ତିଜନକ ତଥା ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ରେଡ୍ ଜାରି ରହିଥିଲା। ଏହାପୂର୍ବରୁ ୨୨ ହଜାର କୋଟିର ଏକ ବ୍ୟାଙ୍କ ଠକେଇ ସାମ୍ନାକୁ ଆସିଥିଲା।

ସିବିଆଇ ମୁଖପାତ୍ର ଆରସି ଯୋଶୀଙ୍କ ସୂଚନା ଅନୁଯାୟୀ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡେପୁଟି ଜେନେରାଲ ମ୍ୟାନେଜର ବିପିନ କୁମାର ଶୁକ୍ଲା ସିବିଆଇକୁ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏହି ଅଭିଯୋଗରେ କୁହାଯାଇଥିଲା ଯେ ଦିୱାନ୍ ହାଉସିଂ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ଏବଂ ଏହାର ସହଯୋଗୀ କମ୍ପାନୀ ଏବଂ ସହଯୋଗୀମାନେ ୧୭ଟି ବ୍ୟାଙ୍କ ସମୂହର ନେତୃତ୍ବ ନେଉଥିବା ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୩୪,୬୧୫ କୋଟି ଟଙ୍କା ଠକିଛନ୍ତି। ୨୦୧୦ ଏବଂ ୨୦୧୯ ବର୍ଷ ମଧ୍ୟରେ ବ୍ୟାଙ୍କକୁ ଏଭଳି ଚୂନ ଲଗାଯାଇଥିଲା ।

ସିବିଆଇକୁ ଦିଆଯାଇଥିବା ଅଭିଯୋଗରେ କୁହାଯାଇଛି ଯେ ଡିଏଚ୍ଏଫ୍ଏଲ୍ କମ୍ପାନୀ ଦୀର୍ଘ ଦିନ ଧରି ବ୍ୟାଙ୍କରୁ ଋଣ ସୁବିଧା ନେଇ ଆସୁଥିଲା। ଏହି କମ୍ପାନୀ ଅନେକ ସେକ୍ଟରରେ ସକ୍ରିୟ ରହିଛି | ଏହି କମ୍ପାନୀ ୧୭ଟି ବ୍ୟାଙ୍କର ଏକ ଗୋଷ୍ଠୀ ଯେଉଁଥିରେ ବ୍ୟାଙ୍କ ଅଫ୍ ବରୋଦା, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, IDBI UCO ବ୍ୟାଙ୍କ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପଞ୍ଜାବ ଏବଂ ସିନ୍ଦ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଦିଲ୍ଲୀ ମୁମ୍ବାଇ ଅହମ୍ମଦାବାଦ କୋଲକାତା କୋଚିନ୍ ଇତ୍ୟାଦି ସ୍ଥାନରେ ମୋଟା ଅଙ୍କର ୠଣ ଉଠାଇଥିଲା । ଅଭିଯୋଗ ହୋଇଛି ଯେ ଏହି କମ୍ପାନୀ ବ୍ୟାଙ୍କରୁ ମୋଟ ୪୨ ହଜାର କୋଟିରୁ ଅଧିକ ଋଣ ନେଇଛି । ଏଥିମଧ୍ୟରୁ କମ୍ପାନୀ ୩୪,୬୧୫ ହଜାର କୋଟିର ଋଣ ପରିଶୋଧ କରିନାହିଁ । କମ୍ପାନୀର ଏକ ବ୍ୟାଙ୍କ ଆକାଉଣ୍ଟ ୩୧ ଜୁଲାଇ ୨୦୨୦ର ‘ଏନପିଏ’ ରେ ପରିଣତ ହୋଇଥିଲା ।

ଅଭିଯୋଗ ହୋଇଛି ଯେ ଯେଉଁ କାର୍ଯ୍ୟ ଦର୍ଶାଇ ଏହି କମ୍ପାନୀ ବ୍ୟାଙ୍କରୁ ଟଙ୍କା ନେଇଥିଲା ତାହା ସେଥିରେ ବିନିଯୋଗ ହୋଇନଥିଲା । ବ୍ୟାଙ୍କରୁ ନିଆଯାଇଥିବା ଅର୍ଥ ଏକ ମାସ ମଧ୍ୟରେ ଅନ୍ୟ କମ୍ପାନୀକୁ ପଠାଯାଇଥିଲା।

Comments are closed.