ଚୋକସି ମାମଲାରେ ମୁହଁ ଖୋଲିଲା ସିବିଆଇ, କହିଲା ପୁଣି ରେଡ୍ ନୋଟିସ୍ ଜାରି କରିବାକୁ ଅପିଲ କରାଯିବ | News Room Odisha

ଚୋକସି ମାମଲାରେ ମୁହଁ ଖୋଲିଲା ସିବିଆଇ, କହିଲା ପୁଣି ରେଡ୍ ନୋଟିସ୍ ଜାରି କରିବାକୁ ଅପିଲ କରାଯିବ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ବିରୋଧରେ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ୍ ପ୍ରତ୍ୟାହାର କରିବା ନେଇ ସିବିଆଇ ଶେଷରେ ମୁହଁ ଖୋଲିଛି । ସିବିଆଇ କହିଛି ଯେ ଚୋକସିଙ୍କ ବିରୋଧରେ ପୁଣି ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ସମସ୍ତ ବିକଳ୍ପ ବ୍ୟବହାର କରାଯିବ ।

ସିବିଆଇ ଏକ ପ୍ରେସ ବିବୃତ୍ତିରେ କହିଛି ଯେ ଇଣ୍ଟରପୋଲ ୨୦୧୮ରେ ସିବିଆଇ ଓ ଇଡି ଆବେଦନ ଆଧାରରେ ହିଁ ଚୋକସିଙ୍କ ବିରୋଧରେ ରେଡ୍ ନୋଟିସ୍ ଜାରି କରିଥିଲା।

ଇଣ୍ଟରପୋଲ ତରଫରୁ ରେଡ୍ ନୋଟିସ ଜାରି କରାଯିବା ପୂର୍ବରୁ ହିଁ ମେହୁଲ ଚିନୁଭାଇ ଚୋକସିଙ୍କୁ ଠାବ କରାଯାଇଥିଲା ଓ ତାଙ୍କ ପ୍ରତ୍ୟର୍ପଣ ପାଇଁ ପଦକ୍ଷେପ ନିଆଯାଇଥିଲା । ରେଡ୍ ନୋଟିସର ମୂଳ ଉଦ୍ଦେଶ୍ୟ ହସଲ ହୋଇସାରିଥିଲା । ତଥାପି ଏହାକୁ ଏକ ସତର୍କତାମୂଳକ ପଦକ୍ଷେପ ଭାବେ କାଏମ ରଖାଯାଇଥିଲା ବୋଲି ସିବିଆଇ କହିଛି ।

ମେହୁଲ ଚିନୁଭାଇ ଚୋକସିଙ୍କ ବିରୋଧରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଆଣ୍ଟିଗୁଆ ଏବଂ ବରବୁଡା ଠାରେ ଚାଲିଛି । ମେହୁଲ ଚିନୁଭାଇ ଚୋକସି ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ତଥା ମନଗଢା କାହାଣୀ ସହିତ ବିଭିନ୍ନ ଆନ୍ତର୍ଜାତୀୟ ମଞ୍ଚ ସହ ଯୋଗାଯୋଗ ରଖୁଥିଲେ ।

“ଏହା ସ୍ପଷ୍ଟ ହୋଇଛି ଯେ ଭାରତରେ ଆଇନ ପ୍ରକ୍ରିୟାକୁ ଏଡ଼ାଇବା ଓ ଆଣ୍ଟିଗୁଆ-ବାରବୁଡାରେ ଚାଲିଥିବା ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ଲାଇନଚ୍ୟୁତ କରିବା ପାଇଁ ବାଞ୍ଛିତ ଅପରାଧୀ ମେହୁଲ ଚିନୁଭାଇ ଚୋକସି ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। କେବଳ କଳ୍ପନା ଜଳ୍ପନା ଏବଂ ଅପ୍ରମାଣିତ ଅନୁମାନ ଆଧାରରେ ପାଞ୍ଚ ସଦସ୍ୟ ବିଶିଷ୍ଟ ସିସିଏଫ୍ (କଣ୍ଟ୍ରୋଲ ଅଫ୍ ଇଣ୍ଟରପୋଲ ଫାଇଲ୍ସ’) ତାଙ୍କ ବିରୋଧରେ ରେଡ୍ ନୋଟିସ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି, ଯାହାର ସୂଚନା ନଭେମ୍ବର ୨୦୨୨ରେ ଦିଆଯାଇଥିଲା।

ସିବିଆଇ ଏହାର ବିବୃତ୍ତିରେ କହିଛି ଯେ ସେବେଠାରୁ ସିସିଏଫ୍ ସହିତ ଏହି ନିଷ୍ପତ୍ତିରେ ଅନିୟମିତତା ଏବଂ ତ୍ରୁଟି ନେଇ ଆଲୋଚନା ଜାରି ରହିଛି। ଇଣ୍ଟରପୋଲରେ ଉପଲବ୍ଧ ସବୁ ବିକଳ୍ପ ଏବଂ ଅପିଲର ସମସ୍ତ ପଦ୍ଧତିକୁ ସିବିଆଇ ବ୍ୟବହାର କରିବ, ଯାହା ଦ୍ଵାରା ଇଣ୍ଟରପୋଲ ଏହି ଭୁଲ ନିଷ୍ପତ୍ତି ସଂଶୋଧନ କରି ପୁଣି ରେଡ୍ ନୋଟିସ୍ ଜାରି କରିପାରିବ।

ଇଣ୍ଟରପୋଲର ରେଡ୍ କର୍ଣ୍ଣର ନୋଟିସ ଡାଟାବେସରୁ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ନାମ ହଟାଇ ଦିଆଯାଇଥିବା ଖବର ନେଇ କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି।

୧୩,୦୦୦ କୋଟି ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇରେ ମେହୁଲ ଚୋକସି ଅନ୍ୟତମ ଅଭିଯୁକ୍ତ।

କଂଗ୍ରେସ ଏହି ମାମଲାରେ ଟ୍ବିଟ୍ କରି କହିଛି “ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରିୟ ମେହୁଲ ‘ଭାଇ ଚୋକସି ଏବେ ଆଉ ଓ୍ବାଣ୍ଟେଡ୍ ନୁହନ୍ତି। ପଳାତକ ମେହୁଲ ଚୋକସିଙ୍କ ବିରୋଧରେ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସକୁ ହଟାଇ ଦେଇଛି। ତାଙ୍କୁ କେବେ ଅଣାଯିବ। ସେ ପାଞ୍ଚ ବର୍ଷ ଧରି ଫେରାର ଅଛନ୍ତି, ଆଉ କେତେ ସମୟ ଲାଗିବ? “