‘୨୦୦୨ ଗୁଜୁରାଟ ଦଙ୍ଗା କେଉଁ ସରକାର ଅମଳରେ ହୋଇଥିଲା?’, ସିବିଏସ୍ଇ ବୋର୍ଡ ପରୀକ୍ଷାରେ ପଚରା ଯାଇଥିବା ପ୍ରଶ୍ନକୁ ନେଇ ବିବାଦ

ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଗୁଜୁରାଟ ଦଙ୍ଗା ଉପରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଥିପାଇଁ କେନ୍ଦ୍ରୀୟ ପରିଷଦ ମାଧ୍ୟମିକ ଶିକ୍ଷା (ସିବିଏସ୍ଇ) ନିଜର ଭୁଲ ସ୍ୱୀକାର କରିବା ସହ କ୍ଷମା ମାଗିଛି। ସିବିଏସ୍ଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁମାନେ ପ୍ରଶ୍ନପତ୍ରରେ ଏପରି ପ୍ରଶ୍ନ ରଖିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦ୍ୱାଦଶ ସାମାଜିକ ବିଜ୍ଞାନ ପରୀକ୍ଷାରେ ଏକ ପ୍ରଶ୍ନ ପଚରାଯାଇଥିଲା ଯାହା ଏପରି ଥିଲା ଯେ, “୨୦୦୨ରେ ଗୁଜୁରାଟ ଦଙ୍ଗା କେଉଁ ସରକାର ଅମଳରେ ହୋଇଥିଲା?”

ସିବିଏସ୍ଇ ଅଧିକାରୀ କହିଛନ୍ତି ଯେ, ସାମାଜିକ ବିଜ୍ଞାନ ପରୀକ୍ଷାରେ “୨୦୦୨ ମସିହାରେ ଗୁଜରାଟରେ ମୁସଲିମ ବିରୋଧୀ ହିଂସା କେଉଁ ସରକାର ଅମଳରେ ହୋଇଥିଲା” ବୋଲି ପ୍ରଶ୍ନ ପଚରା ଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଭାବେ ଚାରୋଟି ବିକଳ୍ପ ଦିଆଯାଇଥିଲା ଯଥା – କଂଗ୍ରେସ, ବିଜେପି, ଡେମୋକ୍ରାଟିକ, ରିପବ୍ଲିକାନ୍ | ଏପରି ପ୍ରଶ୍ନକୁ ନେଇ ବଢୁଥିବା ବିବାଦକୁ ଦେଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛି।

ସିବିଏସ୍ଇ ଅନ୍ୟ ଏକ ଟ୍ୱିଟରେ ଲେଖିଛି ଯେ, “ପ୍ରଶ୍ନ ତିଆରି କରିବା ପାଇଁ ସିବିଏସ୍ଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଶୈକ୍ଷିକ ଆଧାରକୁ ଦୃଷ୍ଟିରେ ରଖି ପ୍ରଶ୍ନପତ୍ର ପ୍ରସ୍ତୁତ ହେବା ଆବଶ୍ୟକ। କୌଣସି ବାହ୍ୟ ବିଷୟ କିମ୍ବା କ୍ଷେତ୍ର ସମ୍ବନ୍ଧୀୟ ପ୍ରଶ୍ନ ପଚରା ଯିବା ଉଚିତ୍ ନାହିଁ ଯାହାଦ୍ଵାରା କୌଣସି ବ୍ୟକ୍ତିର ସାମାଜିକ ସ୍ଥିତି ଅଥବା କୌଣସି ରାଜନୈତିକ ଦଳର ଭାବନାକୁ ଆଘାତ ଦେବ ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୨ ସାମ୍ପ୍ରଦାୟିକ ଦଙ୍ଗା ବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ‌‌। ଉକ୍ତ ଦଙ୍ଗାର ୨୦୦୦ରୁ ଊର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Comments are closed.