କେଜ୍ରିୱାଲଙ୍କ ପକ୍ଷ ଚ୍ଛେଦନ ! ଅମଲାଙ୍କ ବଦଳି ଓ ପୋଷ୍ଟିଂ ନେଇ କେନ୍ଦ୍ର ଆଣିଲା ଅଧ୍ୟାଦେଶ

ନୂଆଦିଲ୍ଲୀ: ଅମଲାଙ୍କ ବଦଳି ମାମଲାରେ ଦିଲ୍ଲୀର ନିର୍ବାଚିତ ‌‌‌‌‌‌ସରକାରଙ୍କ ପୂର୍ଣ୍ଣ କ୍ଷମତା ରହିଛି ବୋଲି ନିକଟରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ । ତେବେ କେନ୍ଦ୍ର ସରକାର ଆଣିଥିବା ଏକ ନୂଆ ଅଧ୍ୟାଦେଶ ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ପକ୍ଷ ଚ୍ଛେଦନ କରିବ। କେନ୍ଦ୍ରର ଏହି ନୂଆ ଅଧ୍ୟାଦେଶ ଅନୁଯାୟୀ ଅମଲାଙ୍କ ବଦଳି ଓ‌ ପୋଷ୍ଟିଂ ନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିଷ୍ପତ୍ତି ହିଁ ଚୂଡାନ୍ତ ବୋଲି ଧରାଯିବ।

ପ୍ରଶାସନିକ ଅଧିକାରୀ ବଦଳି ଓ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଏକ ନୂଆ ପ୍ରାଧିକରଣ ଗଠନ କରିଛନ୍ତି । ଏହି ପ୍ରାଧିକରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟର ପ୍ରିନ୍ସିପାଲ ସେକ୍ରେଟାରୀ ସଦସ୍ୟ ରହିବେ । ଏହି ପ୍ରାଧିକରଣର ପରାମର୍ଶ କ୍ରମେ ଉପରାଜ୍ୟପାଳ ନିଷ୍ପତ୍ତି ନେବେ । ଯଦି କୌଣସି ମତଭେଦ ସୃଷ୍ଟି ହୁଏ ତେବେ ଉପରାଜ୍ୟପାଳଙ୍କ ନିଷ୍ପତ୍ତି ଚୂଡାନ୍ତ ହେବ ।

ବହୁମତ ଆଧାରରେ ପ୍ରାଧିକରଣ ନିଷ୍ପତ୍ତି ନେବ | ଅର୍ଥାତ ନୂଆ ନିୟମ ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକଘରିକିଆ ହୋଇଯିବେ । କାରଣ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରନ୍ତି । ଏଭଳି ସ୍ଥିତିରେ ଅମଲାଙ୍କ ବଦଳି ଓ ପୋଷ୍ଟିଂ ମାମଲାରେ କେନ୍ଦ୍ର ସରକାରଙ୍କ ହିଁ ପୂର୍ଣ୍ଣ ନିୟନ୍ତ୍ରଣ ରହିବ।

କେନ୍ଦ୍ରର ଏହି ନୂଆ ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ଅବମାନନା ବୋଲି କହିଛନ୍ତି ଦିଲ୍ଲୀ ମନ୍ତ୍ରୀ ଅତିଶୀ । କେଜ୍ରିୱାଲଙ୍କ‌ ହାତରେ ଅଧିକ କ୍ଷମତା ରହିବା ନେଇ କେନ୍ଦ୍ର ସରକାର ଡରିଯାଇଥିଲେ । ତେଣୁ ଏହି ଅଧ୍ୟାଦେଶ ଅଣାଯାଇଛି। ଏଥିରୁ ସ୍ପଷ୍ଟ ଯେ କେନ୍ଦ୍ର ସରକାର କେଜ୍ରିୱାଲ ଓ ସୁପ୍ରିମକୋର୍ଟଙ୍କ ରାୟରେ ଭୟଭୀତ ହୋଇଯାଇଛନ୍ତି ।

ଅମଲାଙ୍କ ବଦଳି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଭାବହୀନ କରିବା ପାଇଁ କେନ୍ଦ୍ର ଏକ ଅଧ୍ୟାଦେଶ ଆଣିପାରେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଟ୍ବିଟ୍ କରି ଆଶଙ୍କା ପ୍ରକାଶ କରିଥିଲେ ଯାହା ଏବେ ସତ ହୋଇଛି ।

Comments are closed.