ତିନି ସୀମାବର୍ତ୍ତୀ ରାଜ୍ୟରେ ବିଏସ୍ଏଫ୍ ର କ୍ଷମତା ବୃଦ୍ଧି କରାଯିବା ନେଇ ବିବାଦ, ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଲେ ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ

ନୂଆଦିଲ୍ଲୀ: ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଆସାମରେ ଅନ୍ତର୍ଜାତୀୟ ସୀମା (ଭାରତ-ପାକିସ୍ଥାନ ଏବଂ ଭାରତ-ବାଂଲାଦେଶ) ର ୫୦ କିଲୋମିଟର ମଧ୍ୟରେ ବିଏସଏଫ ଅଧିକାରୀଙ୍କୁ ଅନୁସନ୍ଧାନ, ଜବତ ଏବଂ ଗିରଫ କରିବାକୁ ଅନୁମତି ଦେବା ପାଇଁ କେନ୍ଦ୍ର ସରକାର ସୀମା ସୁରକ୍ଷା ବଳ (ବିଏସଏଫ) ଆଇନରେ ସଂଶୋଧନ କରିଛନ୍ତି। ଏହା ଦ୍ବାରା ବର୍ତ୍ତମାନ ବିଏସ୍ଏଫ୍ ମାଜିଷ୍ଟ୍ରେଟଙ୍କ ଆଦେଶ ଏବଂ ୱାରେଣ୍ଟ ବିନା ଏହି ଅଧିକାର ଅଧୀନରେ ଗିରଫ ଏବଂ ସର୍ଚ୍ଚ ଅପରେସନ୍ ଜାରି ରଖିପାରିବ। ଗୃହ ମନ୍ତ୍ରଣାଳୟ ଦାବି କରିଛି ଯେ ନିକଟରେ ସୀମାରୁ ଡ୍ରୋନ୍ ଦ୍ବାରା ଅସ୍ତ୍ରଶସ୍ତ୍ର ପକାଇବା ଘଟଣା ସାମ୍ନାକୁ ଆସିବା ପରେ ବିଏସଏଫର ଅଧିକାର କ୍ଷେତ୍ର ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି।

ତେବେ କେନ୍ଦ୍ରର ଏହି ପଦକ୍ଷେପ ନେଇ ବିବାଦ ସୃଷ୍ଟି ହୋଇଛି । ଏହା ଦ୍ବାରା ରାଜ୍ୟ ମାନଙ୍କର ସ୍ୱାୟତ୍ତତା କ୍ଷୁର୍ଣ୍ଣ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏହି କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚନ୍ନି ଟ୍ୱିଟ୍ କରି କହିଛନ୍ତି, “ଅନ୍ତର୍ଜାତୀୟ ସୀମାର ୫୦ କିଲୋମିଟର ମଧ୍ୟରେ ବିଏସଏଫକୁ ଅତିରିକ୍ତ କ୍ଷମତା ପ୍ରଦାନ କରିବାକୁ ସରକାରଙ୍କ ଏକତରଫା ନିଷ୍ପତ୍ତିକୁ ମୁଁ ଦୃଢ଼ ନିନ୍ଦା କରୁଛି, ଯାହା ସଂଘୀୟ ବ୍ୟବସ୍ଥା ଉପରେ ସିଧାସଳଖ ଆକ୍ରମଣ। ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରୁଛି ଯେ ସେ ତୁରନ୍ତ ଏହି ଅଯୌକ୍ତିକ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ। ”

ଗୃହ ମନ୍ତ୍ରଣାଳୟ କହିଛି ଯେ ୧୦ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ନିରାପତ୍ତା ସହ ଜଡିତ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ନିଷ୍ପତ୍ତି ପରେ ପ୍ରଶାସନିକ ତଥା ରାଜନୈତିକ ପ୍ରସଙ୍ଗ ମଧ୍ୟ ଉଠିପାରେ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ ଦାବି କରିଛନ୍ତି, “ଏହା ଏକ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ପଦକ୍ଷେପ। ବିଏସଏଫର ମୂଳ ଉଦ୍ଦେଶ୍ୟ ହେଉଛି ସୀମା ରକ୍ଷା କରିବା ଏବଂ ଅନୁପ୍ରବେଶକୁ ରୋକିବା।

Comments are closed.