ନିଟ୍-ପିଜି ପାଇଁ ଇଡବ୍ଲ୍ୟୁଏସ୍ କୋଟା ମାମଲାର ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ରର ନିବେଦନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ନିଟ୍-ପିଜିରେ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲ୍ୟୁଏସ୍) କୋଟା ପ୍ରସଙ୍ଗରେ ଶୀଘ୍ର ଶୁଣାଣି ପାଇଁ କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ତରଫରୁ ଏହି ଅନୁରୋଧ କରି କହିଛନ୍ତି ଯେ ଜାନୁଆରୀ ୬କୁ ଅପେକ୍ଷା କରିବା ପରିବର୍ତ୍ତେ ମଙ୍ଗଳବାର ଦିନ ହିଁ ଏହି ମାମଲାର ଶୁଣାଣି କରାଯାଉ। ଏହି ପ୍ରସଙ୍ଗରେ ତ୍ୱରିତ ଶୁଣାଣି ପାଇଁ ସରକାର ଆବେଦନ କରିଛନ୍ତି।

କେନ୍ଦ୍ରର ଆବେଦନ ଉପରେ ଜଷ୍ଟିସ୍ ଡିଏ ଚନ୍ଦ୍ରଚୂଡ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ ସହ କଥା ହେବା ପରେ ମଙ୍ଗଳବାର କିମ୍ବା ବୁଧବାର ଦିନ ସେ ଏହି ମାମଲାର ଶୁଣାଣି କରିବାକୁ ଉଦ୍ୟମ କରିବେ। ସେପର୍ଯ୍ୟନ୍ତ କେନ୍ଦ୍ର ଏହି ମାମଲାର‌ ବିଭିନ୍ନ ପକ୍ଷମାନଙ୍କୁ ଏନେଇ ଜଣାଇବା ଉଚିତ।

ନିଟ୍-ପିଜି ପାଠ୍ୟକ୍ରମରେ ଅଲ ଇଣ୍ଡିଆ କୋଟାରେ ଆର୍ଥିକ ଦୁର୍ବଳ ବିଭାଗ (ଇଡବ୍ଲ୍ୟୁଏସ୍) ପାଇଁ ସଂରକ୍ଷଣ ସମ୍ବନ୍ଧରେ କେନ୍ଦ୍ର ସରକାର ନିଜ ପୂର୍ବ ଆଭିମୁଖ୍ୟରେ ଅଟଳ ଅଛନ୍ତି। ବିଶେଷଜ୍ଞ କମିଟିର ରିପୋର୍ଟକୁ ଦର୍ଶାଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଚଳିତ ବର୍ଷ ୮ ଲକ୍ଷ ଆୟ ବର୍ଗର ପ୍ରାର୍ଥୀଙ୍କୁ ନିଟ୍-ପିଜି ପାଠ୍ୟକ୍ରମରେ ଆଡ଼ମିଶନ କରିବାକୁ ଚାହୁଁଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ଇଡବ୍ଲ୍ୟୁଏସ୍ କୋଟାରେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ମାନଦଣ୍ଡରେ ପରିବର୍ତ୍ତନ ହେବ ନାହିଁ ବୋଲି କେନ୍ଦ୍ର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି। ଆଡମିଶନ ପାଇଁ କାଉନସେଲିଂ କରିବାକୁ କେନ୍ଦ୍ର ଅନୁମତି ମାଗିଛି।

Comments are closed.