‘ଦୁଇ ସନ୍ତାନ’ ନୀତି ଶେଷ କଲା ଚୀନ୍, ଏଣିକି ତିନୋଟି ସନ୍ତାନ ଜନ୍ମ କରିପାରିବେ ଦମ୍ପତି

ବେଜିଂ: ଚୀନ୍ ନିଜ ‘ଦୁଇ ସନ୍ତାନ’ ନୀତି ଶେଷ କରିବାକୁ ନିଷ୍ପତ୍ତି ନେଇଛି । ଏଣିକି ଚୀନରେ ଦମ୍ପତିଙ୍କୁ ତିନୋଟି ସନ୍ତାନ ଜନ୍ମ କରିବାକୁ ଅନୁମତି ଦିଆଯାଇଛି । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ ପଲିଟ ବ୍ୟୁରୋ ବୈଠକରେ ଚୀନ୍ ଏହି ନିଷ୍ପତ୍ତି ନେଇଛି ।

ନିକଟରେ ଚୀନ୍‌ର ଜନସଂଖ୍ୟା ତଥ୍ୟ ସାର୍ବଜନୀନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସଦ୍ୟତମ ତଥ୍ୟରୁ ଜଣାପଡିଛି ଯେ ଗତ ଦଶନ୍ଧି ମଧ୍ୟରେ ଚୀନର ଜନସଂଖ୍ୟା ବୃଦ୍ଧି ହାର ମନ୍ଥର ହୋଇଯାଇଛି। ଏନେଇ ଚୀନ୍ ସରକାର ଚିନ୍ତିତ ହୋଇପଡ଼ିଥିଲେ । ଦମ୍ପତିଙ୍କୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ପ୍ରୋତ୍ସାହିତ କରିବା ଏବଂ ଜନସଂଖ୍ୟା ହ୍ରାସକୁ ରୋକିବା ପାଇଁ ଚୀନ୍ ସରକାରଙ୍କ ଉପରେ ଚାପ ବି ପଡ଼ିଥିଲା ।

ଚଳିତ ମାସ ଆରମ୍ଭରେ ପ୍ରକାଶିତ ଜନସଂଖ୍ୟା ଅନୁଯାୟୀ ଗତ ବର୍ଷ ଚାଇନାରେ ୧.୨ କୋଟି ଶିଶୁ ଜନ୍ମ ହୋଇଥିଲେ ।‌ ଏହି ସଂଖ୍ୟା ୨୦୧୬ ଠାରୁ ସବୁଠାରୁ କମ୍ ଥିଲା ଏବଂ ୧୯୬୦ ପରଠୁ ସର୍ବନିମ୍ନ। ୨୦୧୬ରେ ଚୀନରେ ୧.୮ କୋଟି ଶିଶୁ ଜନ୍ମ ହୋଇଥିଲେ।

ଜନସଂଖ୍ୟାର ଏହି ଆକଳନ ପରେ ଚୀନ୍ ପରିବାର ଯୋଜନା ନୀତିକୁ କୋହଳ କରିବ ବୋଲି ମନେ କରାଯାଉଥିଲା ।

୨୦୧୬ରେ ଚୀନ୍ ସରକାର ବିବାଦୀୟ ଏକ-ସନ୍ତାନ ନୀତି ଶେଷ କରି ଲୋକଙ୍କୁ ଦୁଇଟି ସନ୍ତାନ ପ୍ରାପ୍ତ କରିବାକୁ ଅନୁମତି ଦେଇଥିଲେ।

କିନ୍ତୁ ଏହି ନିୟମର କୋହଳ ପରେ ମଧ୍ୟ ଦେଶରେ ଜନ୍ମ ହାର ପ୍ରଥମ ଦୁଇ ବର୍ଷରେ ବୃଦ୍ଧି ପାଇବା ପରେ ଏହା ହ୍ରାସ ପାଇବାରେ ଲାଗିଲା।

Comments are closed.