ଜାତିସଂଘରେ ପୁଣି ଭାରତ ବିରୋଧରେ ଗଲା ଚୀନ୍, ଜୈଶ ଆତଙ୍କବାଦୀକୁ କଳା ତାଲିକାଭୁକ୍ତ ନେଇ ପ୍ରସ୍ତାବକୁ ବ୍ଲକ୍ କଲା

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତର ପଦକ୍ଷେପରେ ପୁଣି ବାଧକ ସାଜିଛି ଚୀନ୍ । ଜାତିସଂଘରେ ପାକ୍ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ଦ୍ୱିତୀୟ ନମ୍ବର କମାଣ୍ଡର ଅବଦୁଲ ରାଉଫ ଅଜହରକୁ କଳା ତାଲିକାଭୁକ୍ତ କରିବା ପାଇଁ ଭାରତର ପ୍ରସ୍ତାବକୁ ଚୀନ୍ ବ୍ଲକ୍ କରିଦେଇଛି । ଆତଙ୍କବାଦରେ ମୁକାବିଲାର ଚୀନର ଏହା ଦୋମୁହାଁ ନୀତି ବୋଲି ଭାରତ କହିଛି ।

ଜାତିସଂଘରେ ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ ଅଜହରର ଭାଇ ଅବଦୁଲ ରାଉଫ ଅଜହର ତଥା ଏହି ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନର ଦୁଇ ନମ୍ବର ନେତାକୁ କଳା ତାଲିକାଭୁକ୍ତ କରିବାକୁ ଆମେରିକା ଏବଂ ଭାରତର ଏକ ପ୍ରସ୍ତାବକୁ ଚୀନ୍ ବ୍ଲକ୍ କରିଛି।

କୌଣସି ପାକିସ୍ତାନୀ ଆତଙ୍କବାଦୀକୁ କଳା ତାଲିକାଭୁକ୍ତ ଉଦ୍ୟମକୁ ରୋକିବା ପାଇଁ ଚୀନ୍‌ର “ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ” ପଦକ୍ଷେପ ଜାତିସଂଘ ସୁରକ୍ଷା ପରିଷଦର (ୟୁଏନ୍ଏସ୍ସି) ପ୍ରତିବନ୍ଧକ କମିଟିର ଅଖଣ୍ଡତାକୁ କ୍ଷୁର୍ଣ୍ଣ କରୁଛି ବୋଲି ଭାରତୀୟ ସରକାର ସହ ଜଡ଼ିତ ସୂତ୍ର କହିଛନ୍ତି ।

ପାକିସ୍ତାନର ସହଯୋଗୀ ଚୀନ୍ ଗତ ଦୁଇ ମାସରେ ଦ୍ବିତୀୟ ଥର ପାଇଁ ଭାରତର ଏକ ପ୍ରସ୍ତାବକୁ ବ୍ଲକ୍ କରିଛି ।

ସୂଚନାଯୋଗ୍ୟ ଯେ ଚୀନ୍ ପୂର୍ବରୁ ଚଳିତ ବର୍ଷ ଜୁନ୍ ମାସରେ ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ୍ ରେହମାନ ମକ୍କିକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ନିଷିଦ୍ଧ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ଏବଂ ଆମେରିକାର ମିଳିତ ପ୍ରସ୍ତାବକୁ ମଧ୍ୟ ବ୍ଲକ୍ କରିଥିଲା। ମକ୍କି ହେଉଛି ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଲଶ୍କର-ଏ-ତଇବା ମୁଖ୍ୟ ହାଫିଜ ସଇଦର ସମ୍ପର୍କୀୟ।
ଭାରତୀୟ ସୂତ୍ରରୁ ପ୍ରକାଶ ଯେ, ରାଜନୈତିକ କାରଣରୁ ପ୍ରତିବନ୍ଧକ କମିଟିକୁ ଏହାର କାର୍ଯ୍ୟ ନିଷ୍ପାଦନ କରିବାରୁ ରୋକାଯିବା ଦୁର୍ଭାଗ୍ୟଜନକ।

Comments are closed.