ଆଜିଠାରୁ ସିଆଇଏସ୍ଏଫ୍ ହାତରେ ସଂସଦର ସୁରକ୍ଷା ଦାୟିତ୍ବ, ମୁତୟନ ହେବେ ୩୩୦୦ ସଶସ୍ତ୍ର ଯବାନ

ନୂଆଦିଲ୍ଲୀ: ସିଆଇଏସ୍ଏଫ୍ ତଥା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀକୁ ଆଜିଠାରୁ ସଂସଦର ସୁରକ୍ଷା ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଏହା ପୂର୍ବରୁ ସଂସଦର ସୁରକ୍ଷା ସିଆରପିଏଫ୍ ଉପରେ ନ୍ୟସ୍ତ ଥିଲା । କିନ୍ତୁ ଗତ ବର୍ଷ ଦୁଇଜଣ ଯୁବକ ସଂସଦରେ ପଶି ବିରୋଧ ପ୍ରଦର୍ଶନ କରିବା ପରେ ଗଣତନ୍ତ୍ରର ମନ୍ଦିରର ସୁରକ୍ଷାର ସମୀକ୍ଷା ହୋଇଥିଲା ।

ସଂସଦର ସୁରକ୍ଷା ପାଇଁ ବିସ୍ତୃତ ପଦକ୍ଷେପ ନେବାକୁ ବାଚସ୍ପତି ଓମ୍ ବିର୍ଲା ଗୁରୁତ୍ୱାରୋପ କରିଥିଲେ। ଏହା ପରେ ସଂସଦର ସୁରକ୍ଷା ଗୃହ ମନ୍ତ୍ରଣାଳୟ ଦ୍ୱାରା ସମୀକ୍ଷା କରାଯାଇଥିଲା। ସୂଚନାନୁସାରେ ବର୍ତ୍ତମାନ ସଂସଦର ସୁରକ୍ଷାରେ ପ୍ରାୟ ୩୩୦୦ ସଶସ୍ତ୍ର ସିଆଇଏସ୍ଏଫ୍ ଯବାନ ମୁତୟନ ହେବେ।

ପୂର୍ବରୁ ସଂସଦ ପରିସରରର ସୁରକ୍ଷା ସଂସଦୀୟ ସୁରକ୍ଷା ସେବା (ପିଏସ୍ଏସ୍), ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ଦ୍ୱାରା ପରିଚାଳିତ ହେଉଥିଲା।

ସୂଚନାଯୋଗ୍ୟ ଯେ ନୂଆ ସୁରକ୍ଷା ବ୍ୟବସ୍ଥା ପରେ ସିଆରପିଏଫ୍ ର ପାର୍ଲିଆମେଣ୍ଟ ଡ୍ୟୁଟି ଗ୍ରୁପ୍ (ପିଡିଜି) ସଂସଦରେ ମୁତୟନ ହୋଇଥିବା ଏହାର ୧୪୦୦ ଯବାନଙ୍କୁ ମେ ୧୪ରେ ପ୍ରତ୍ୟାହାର କରିଥିଲା। ଏହାଛଡ଼ା ସିଆରପିଏଫ୍ ଏହାର ସମସ୍ତ ଯାନ, ଅସ୍ତ୍ରଶସ୍ତ୍ର ଏବଂ କମାଣ୍ଡୋ ମଧ୍ୟ ହଟାଇ ଦେଇଥିଲା। ସିଆରପିଏଫ୍ କମାଣ୍ଡର ଡିଜି ର଼୍ୟାଙ୍କ ଅଧିକାରୀ ସଂସଦର ସୁରକ୍ଷା ସହ ଜଡିତ ସମସ୍ତ ତଥ୍ୟ ସିଆଇଏସ୍ଏଫକୁ ହସ୍ତାନ୍ତର କରିଥିଲା ।

ଏବେ ୩୩୧୭ ସିଆଇଏସ୍ଏଫ ଯବାନ ସଂସଦର ସୁରକ୍ଷା ସମ୍ଭାଳିବେ। ଏନେଇ ଗତ ୧୦ ଦିନ ଧରି ସିଆଇଏସ୍ଏଫ ଯବାନଙ୍କ ତାଲିମ ଚାଲିଥିଲା। ସେମାନଙ୍କୁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି)ର ବ୍ଲାକ୍ କମାଣ୍ଡୋଙ୍କ ସହିତ ମଧ୍ୟ ତାଲିମ ଦିଆଯାଇଥିଲା। ସିଆଇଏସ୍ଏଫ ଯବାନମାନଙ୍କୁ ପ୍ରବେଶ ଦ୍ୱାରରେ ଲୋକଙ୍କୁ ଓ ସାମଗ୍ରୀ ଯାଞ୍ଚ୍ କରିବା, ବୋମା ଚିହ୍ନଟ ଏବଂ ନିଷ୍କ୍ରିୟ କରିବା, ଆତଙ୍କବାଦୀ ଆକ୍ରମଣ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ, ସ୍ନାଇପର ଟାସ୍କ ଏବଂ ଜନସାଧାରଣଙ୍କ ସହିତ ଯୋଗାଯୋଗ ସମ୍ପର୍କରେ ତାଲିମ ଦିଆଯାଇଛି।

୧୩ ଡିସେମ୍ବର ୨୦୨୩ରେ ନୂଆ ସଂସଦ ଭିତରେ ଅନୁପ୍ରବେଶ ଘଟଣା ପରେ ଗୃହର ସୁରକ୍ଷା ପାଇଁ ସିଆରପିଏଫ୍ ଡିଜିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏହା ପରେ ସଂସଦର ସୁରକ୍ଷାରେ ସିଆଇଏସ୍ଏଫକୁ ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Comments are closed.