ଅବସର ନେବା ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କଲେ ଏହି ବିରଳ ରେକର୍ଡ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଅବସର ଗ୍ରହଣ କରିବେ ପ୍ରଧାନ ବିଚାରପତି ଏନ.ଭି ରମନ୍ନା । ତେବେ ଅବସର ନେବା ପୂର୍ବରୁ ଜଷ୍ଟିସ୍ ରମନ୍ନା ଏକ ବିରଳ ରେକର୍ଡ କରିଛନ୍ତି। ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମନ୍ନା ସର୍ବାଧିକ ସଂଖ୍ୟକ ଜଜଙ୍କୁ ନିଯୁକ୍ତି ଦେଇଛନ୍ତି । ଏକ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟକାଳ ମଧ୍ୟରେ ସେ ଦେଶର ବିଭିନ୍ନ ହାଇକୋର୍ଟରେ ୧୦୦ ରୁ ଅଧିକ ଜଜ୍ ଏବଂ ସୁପ୍ରିମକୋର୍ଟରେ ପାଞ୍ଚରୁ ଅଧିକ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନାଙ୍କ ଉଦ୍ୟମ ଯୋଗୁଁ ହାଇକୋର୍ଟରେ ଖାଲି ଥିବା ଜଜ୍ ପଦ ସଂଖ୍ୟା ୪୧୧ ରୁ ୩୮୦କୁ ହ୍ରାସ ପାଇଛି।

ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରମନ୍ନା ଯେତେବେଳେ ୨୪ ଏପ୍ରିଲ ୨୦୨୧ରେ ଏସ୍ଏ ବୋବଡେଙ୍କ ସ୍ଥାନ ନେଇଥିଲେ, ସେତେବେଳେ ଦେଶର ୨୪ଟି ହାଇକୋର୍ଟରେ ୪୦% ରୁ ଅଧିକ (୪୧୧) ପଦ ଖାଲି ପଡ଼ିଥିଲା । ପାଟନା ହାଇକୋର୍ଟ ସମେତ କେତେକ ହାଇକୋର୍ଟ ଅଧାରୁ କମ୍ କ୍ଷମତା ସହିତ କାର୍ଯ୍ୟ କରୁଥିଲେ। କିନ୍ତୁ ଜଷ୍ଟିସ୍ ରମନ୍ନା ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ କଲେଜିୟମରେ ଏକ ସହମତି ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ (ବିଚାରପତି ବାଛିବା ପାଇଁ ପାଞ୍ଚଜଣ ବରିଷ୍ଠ ବିଚାରପତିଙ୍କ ମଣ୍ଡଳୀ) ଏବଂ ବିଚାରପତିଙ୍କ ନିଯୁକ୍ତି ସୁପାରିସ ମଧ୍ୟ କେନ୍ଦ୍ର ଦ୍ବାରା ଗୃହୀତ ହେବାରେ ଲାଗିଥିଲା।

କେନ୍ଦ୍ର ସରକାର ତାଙ୍କର ପ୍ରାୟ ସମସ୍ତ ସୁପାରିସକୁ ଗ୍ରହଣ କରି ଖାଲି ପଦ ପୂରଣ କରିଥିଲେ। ଆଜି ହାଇକୋର୍ଟରେ ଖାଲିଥିବା ଜଜଙ୍କ ପଦ ସଂଖ୍ୟା ୩୮୦ କୁ ହ୍ରାସ ପାଇଛି। କୌତୁହଳର ବିଷୟ ହେଉଛି, ଜଷ୍ଟିସ ରମନ୍ନାଙ୍କ ପୂର୍ବରୁ ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ଏସ୍ଏ ବୋବଡେ ତାଙ୍କ ଏକ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ବି ନିଯୁକ୍ତି ଦେଇପାରିନଥିଲେ | ଯଦିଓ ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାଳ କରୋନା ମହାମାରୀ ସମୟରେ ଥିଲା, କିନ୍ତୁ ନିଯୁକ୍ତିର କରୋନା ସହିତ କୌଣସି ସମ୍ପର୍କ ନଥିଲା | ଜଜ୍ ନିଯୁକ୍ତିରେ ମୁଖ୍ୟ ପ୍ରସଙ୍ଗ ହେଲା କଲେଜିୟମର ସହମତି | ଜଷ୍ଟିସ୍ ରମନ୍ନା ୨୬ ଅଗଷ୍ଟ ୨୦୨୨ରେ ଅବସର ନେବେ।

Comments are closed.