ହିରୋସୀମା, ନାଗାସାକି ବିନାଶର ‘କଙ୍ଗୋ’ ଲିଙ୍କ୍

ବିଜନ କୁମାର ମହାପାତ୍ର

୧୯୪୫ ଅଗଷ୍ଟରେ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ପରମାଣୁ ବୋମା ପକାଇଥିଲା ଆମେରିକା । ‘ଲିଟିଲ ବୟ’ ଓ ‘ଫ୍ୟାଟ ମ୍ୟାନ୍‌’ (ଦୁଇ ପରମାଣୁ ବୋମାର ନାମ ) ହିରୋସୀମା ଓ ନାଗାସାକିରେ ରଚିଥିଲେ ମୃତ୍ୟୁର ତାଣ୍ଡବ ଲୀଳା । ଅଗଷ୍ଟ ୬, ୧୯୪୫ରେ ହିରୋସୀମାରେ ପଡିଥିବା ବିଶ୍ୱର ପ୍ରଥମ ପରମାଣୁ ବୋମାରେ ପ୍ରାଣ ହରାଇଥିଲେ ୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ । ଅଗଷ୍ଟ ୯ ତାରିଖରେ ନାଗାସାକି ସହରରେ ଆମେରିକା ନିକ୍ଷେପ କରିଥିବା ଦ୍ୱିତୀୟ ପରମାଣୁ ବୋମାରେ ୭୦ ହଜାର ଲୋକଙ୍କ ଜୀବନ ଯାଇଥିଲା । ପରମାଣୁ ବୋମାର ଭୀଷଣ ଭୟାବହତା ଓ ଅନ୍ୟ ପ୍ରତିକୂଳ କାରଣ ଯୋଗୁଁ ଯୁଦ୍ଧ ବିରତି ଓ ଆତ୍ମ ସମର୍ପଣ ପାଇଁ ଘୋଷଣା କରିଥିଲା ଜାପାନ । ଏଥିସହ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ।

ଜାପାନ ଉପରେ ଆମେରିକାର ପରମାଣୁ ବୋମା ପ୍ରୟୋଗ ଓ ଏହାର ଭୟାବହତା ସଂପର୍କରେ ଆଜି ବି ଆଲୋଚନା ହୁଏ । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ପରମାଣୁ ବୋମା ସହ ଜଡିତ ଏକ ରୋଚକ ଅଧ୍ୟାୟ ସଂପର୍କରେ ଆଜି ବି ଖୁବ୍ କମ ହିଁ ଜାଣନ୍ତି । ଆଫ୍ରିକା ମହାଦେଶର ଏକ ଛୋଟ ଗରିବ ରାଷ୍ଟ୍ର ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ- ଡିଆରସି ( ପୂର୍ବର ବେଲଜିଆନ କଙ୍ଗୋ ) ସହ ଜଡିତ । କଙ୍ଗୋର ନାଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ହୀରୋସୀମା ଓ ନାଗାସାକିରେ ପଡିଥିବା ପରମାଣୁ ବୋମା ସହ ସବୁବେଳେ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ରହିଛି । କିନ୍ତୁ ଏ ପ୍ରସଙ୍ଗରେ କ୍ୱଚିତ ଆଲୋଚନା ହୁଏ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତତ୍କାଳୀନ କଙ୍ଗୋ ଥିଲା ବେଲଜିୟମର ଉପନିବେଶ ରାଷ୍ଟ୍ର । ତେଣୁ ସେହି ଦେଶ ସେତେବଳେ ବେଲଜିଆନ କଙ୍ଗୋ ଭାବେ ପରିଚିତ ଥିଲା । କଙ୍ଗୋର କାଟାଙ୍ଗା ରାଜ୍ୟରେ ଥିଲା ସିଙ୍କୋଲବୱେ ଖଣି । ପ୍ରଚୁର ୟୁରାନିୟମରେ ଭରପୂର ଥିଲା ଏହି ଖଣି । ଆମେରିକା, ବ୍ରିଟେନ ଓ କାନାଡାର ‘ମାନହଟନ ପ୍ରୋଜେକ୍ଟ’ ପାଇଁ ଆବଶ୍ୟକ ୟୁରାନିୟମର ମୁଖ୍ୟ ଉତ୍ସ ଥିଲା କଙ୍ଗୋର ସିଙ୍କୋଲବୱେ ଖଣି । ପରମାଣୁ ବୋମା ଏହି ମାନହଟନ ପ୍ରୋଜେକ୍ଟରୁ ସୃଷ୍ଟି ହୋଇଥିଲା । ସିଙ୍କୋଲବୱେରେ ୧୯୧୫ ମସିହାରେ ଆବିଷ୍କୃତ ହୋଇଥିଲା ୟୁରାନିୟମ । ସେତେବେଳେ ୟୁରାନିୟମର ଚାହିଦା ପ୍ରାୟ ନ ଥିଲା ବୋଲି କହିଲେ ଭୁଲ୍ ହେବ ନାହିଁ । ଭୂତତ୍ତ୍ୱ ବିତମାନେ ୟୁରାନିୟମ ଶିଳାକୁ ଅଦରକାରୀ ପଥର ବୋଲି କହି ଏଡାଇ ଦେଉଥିଲେ । ତେଣୁ ସିଙ୍କୋଲବୱେରେ ୟୁରାନିୟମର ସନ୍ଧାନ ମିଳିବା ପରେ ମଧ୍ୟ ସେଠାରେ ବେଲଜିୟମର ଖଣି କଂପାନି ‘ୟୁନିଅନ ମିନିଏରେ’ କୌଣସି ଆଗ୍ରହ ଦେଖାଇ ନ ଥିଲା । ବରଂ ରେଡିୟମର ବି ସନ୍ଧାନ ମିଳିଥିବାରୁ ବେଲଜିୟମ କଂପାନି ସେହି ଜାଗାର ମାଇନିଂ କରିଥିଲା ।

୧୯୩୮ରେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ନୂଆ ଆବିଷ୍କାର ହୋଇଥିଲା । ସେହି ନୂଆ ଆବିଷ୍କାର ଥିଲା ପରମାଣୁ ବିଘଟନ ( ନ୍ୟୁକ୍ଲିୟର ଫିଜନ୍ ) । ଏହି ଆବିଷ୍କାର ଫଳରେ ହିଁ ୟୁରାନିୟମର ବ୍ୟବହାର ଉପଯୋଗୀ ସମ୍ଭାବନା ବୃୃଦ୍ଧି ପାଇଲା । ପରମାଣୁ ବିଘଟନ ଆବିଷ୍କାର ସଂପର୍କରେ ଶୁଣିଲା ପରେ ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜଭେଲଟଙ୍କୁ ଏକ ଚିଠି ଲେଖି ୟୁରାନିମର ଉପଯୋଗିତା ବିଷୟରେ ଜଣାଇଥିଲେ । ୟୁରାନିୟମରୁ ଅମାପ ଶକ୍ତି ସୃଷ୍ଟି କରାଯାଇପାରିବା ସହ ଶକ୍ତିଶାଳୀ ବୋମା ବି ନିର୍ମାଣ ହୋଇପାରିବ ବୋଲି ଆଇନଷ୍ଟାଇନ୍ ରୁଜଭେଲଟଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ।

୧୯୩୯ରେ ଆରମ୍ଭ ହୋଇଥିଲା ଆମେରିକାର ମହତ୍ୱାକାଂକ୍ଷୀ ‘ମାନହଟନ ପ୍ରୋଜେକ୍ଟ’ । କାର୍ଯ୍ୟକାରୀ ପରମାଣୁ ଅସ୍ତ୍ର ବିକଶିତ କରିବା ଥିଲା ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ । ପ୍ରୋଜେକ୍ଟ ପାଇଁ ଆବଶ୍ୟକ ହେଉଥିଲା ବିପୁଳ ୟୁରାନିୟମ । ଆମେରିକାର କଲରାଡୋ ଓ କାନାଡାରେ ବି ୟୁରାନିୟମ ଉପଲବ୍ଧ ଥିଲା । କିନ୍ତୁ କଙ୍ଗୋର ସିଙ୍କୋଲବୱେରେ ହିଁ ଅଧିକ ପରିମାଣରେ ଉପଲବ୍ଧ ଥିଲା ୟୁରାନିୟମ । ଆମେରିକାର ସାମରିକ ରଣନୀତିଜ୍ଞମାନେ କିନ୍ତୁ କଙ୍ଗୋରୁ ହିଁ ଅଧିକରୁ ଅଧିକ ପରିମାଣର ୟୁରାନିୟମ ଆଣିବାକୁ ନିଷ୍ପତି ନେଇଥିଲେ । କାରଣ କଙ୍ଗୋର ସିଙ୍କୋଲବୱେ ଖଣିର ୟୁରାନିୟମ ଥିଲା ସବୁଠାରୁ ଶୁଦ୍ଧ ଓ ସମୃୃଦ୍ଧ । କଙ୍ଗୋରୁ ୟୁରାନିୟମ ଆଣିବା ପାଇଁ ମାନହଟନ ପ୍ରୋଜେକ୍ଟର ଅଂଶୀଦାର ବ୍ରିଟେନ ସହ ଯୋଗାଯୋଗ କରିଥିଲା ଆମେରିକା । ବେଲଜିୟମ ଖଣି କଂପାନି ୟୁନିଅନ ମିନିଏରେରେ ବ୍ରିଟେନ ସରକାରଙ୍କ ୩୦ ପ୍ରତିଶତ ମାଲିକାନା ଥିଲା । ବ୍ରିଟେନ ସହଯୋଗରେ ଆମେରିକା, କଙ୍ଗୋରୁ ପ୍ରଚୁର ପରିମାଣରେ ୟୁରାନିୟମ ଆଣିବାରେ ସଫଳ ହେଲା । ବେଲଜିୟମ ଅଧୀନରେ ଥିବା କଙ୍ଗୋର ଶ୍ରମିକମାନେ ଦିନରାତି ହାଡଭଙ୍ଗା ପରିଶ୍ରମ କରି ଆମେରିକାକୁ ୟୁରାନିୟମ ପଥର ପଠାଇବାରେ ସାହାଯ୍ୟ କରିଥିଲେ । କିଏ ଜାଣିଥିଲା ଯେ, ସେମାନଙ୍କ ଏହି ଝାଳବୁହା ପରିଶ୍ରମ ବ୍ୟର୍ଥ ହୋଇ ଦିନେ ମାନବସମାଜ ପ୍ରତି ବଡ ବିପଦର କାରଣ ହେବ ?

ମାନହଟନ ପ୍ରୋଜେକ୍ଟକୁ ଅତି ଗୁପ୍ତ ରଖାଯାଇଥିଲା । ପ୍ରୋଜେକ୍ଟ ପାଇଁ ୟୁରାନିୟମ ଚାଲାଣ ବି ଅତି ଗୁପ୍ତରେ ଚାଲିଥିଲା । ବିଶ୍ୱଯୁଦ୍ଧରେ ‘କେନ୍ଦ୍ର ଶକ୍ତି’ ଯେପରି ଟେର୍ ନ ପାଇବ, ସେଥିପାଇଁ ସିଙ୍କୋଲବୱେ ଖଣି ସଂପର୍କରେ ଜାଣିଶୁଣି ମିଥ୍ୟା ଖବର ପ୍ରଚାର କରାଯାଇଥିଲା । ୟୁରାନିୟମକୁ ରତ୍ନପଥର ଓ ସାଧାରଣ କଂଚାମାଲ ବୋଲି ପ୍ରଚାର କରାଗଲା । ଆମେରିକା ଓ ଏହାର ସହଯୋଗୀ ସିଙ୍କଲବୱେର ନାଁ ଧରୁ ନ ଥିଲେ । ଜର୍ମାନୀ ଓ ତାହାର ସହଯୋଗୀଙ୍କ ନଜର ଯେମିତି ନ ପଡିବ, ସେଥିପାଇଁ ସିଙ୍କଲବୱେରେ ଗୁପ୍ତଚର ମୁତୟନ ବି କରାଯାଇଥିଲା ।

କଙ୍ଗୋର ସିଙ୍କୋଲବୱେ ଖଣିର ୟୁରାନିୟମ ହିଁ ମାନହଟନ ପ୍ରୋଜେକ୍ଟକୁ ସମୃଦ୍ଧ କରିଥିଲା । ଏହି ପ୍ରୋଜେକ୍ଟ ଅନ୍ତର୍ଗତ ପରମାଣୁ ବୋମାର ନିର୍ମାଣ ସହ ପରୀକ୍ଷଣ କରିଥିଲା ଆମେରିକା । ୧୯୪୫ ମସିହା ଜୁଲାଇ ୧୬ ତାରିଖରେ ନ୍ୟୁ ମେକସିକୋର ମରୁଭୂମିରେ ପଦାର୍ଥ ବିଜ୍ଞାନୀ ଜେ. ରବର୍ଟ ଆଇଜନହାୟରଙ୍କ ନେତୃତ୍ୱରେ ବିଶ୍ୱର ପ୍ରଥମ ପରମାଣୁ ବୋମାର ପରୀକ୍ଷଣ କରିଥିଲା ଆମେରିକା । ଏହି ମିଶନର ନାମ ଥିଲା ‘ଟ୍ରିନିଟି’ । ପରୀକ୍ଷିତ ପରମାଣୁ ବୋମାର ନାମ ଥିଲା ‘ଦି ଗେଜେଟ୍‌’ । ଆମେରିକାର ଏହି ପରମାଣୁ ବୋମା ୨୧ କିଲୋଟନ୍ ବିଶିଷ୍ଟ ଥିଲା । କିଛି ଦିନ ପରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପ୍ରୟୋଗ କରି ସାରା ଦୁନିଆକୁ ଚକିତ କରିଦେଇଥିଲା । ହିରୋସୀମା ଓ ନାଗାସାକିରେ ସଂଘଟିତ ଧ୍ୱଂସର ଲୀଳା ପରେ ପରମାଣୁ ବୋମାର ଭୟାବହତା ସଂପର୍କରେ ଅବଗତ ହେଲା ଦୁନିଆ ।

ଜାପାନରେ ପଡିଥିବା ଆମେରିକାର ବିନାଶକାରୀ ପରମାଣୁ ବୋମା ନିର୍ମାଣ ପଛରେ ଯେ, ଏକ ଦରିଦ୍ର, ଉପନିବେଶ ରାଷ୍ଟ୍ରର ୟୁରାନିୟନ ବ୍ୟବହାର ହୋଇଥିଲ.ତାହା ଜାଣିବାକୁ ବେଶ୍ କିଛି ବର୍ଷ ଲାଗିଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେଲା ପରେ ମଧ୍ୟ କଙ୍ଗୋର ସିଙ୍କୋଲବୱେ ଖଣିର ୟୁରାନିୟମ ସଂପର୍କରେ ସୂଚନା ଗୁପ୍ତ ରଖାଯାଇଥିଲା । ଆମେରିକା ନିର୍ମାଣ କରିଥିବା ପରମାଣୁ ବୋମାରେ କାନାଡାର ୟୁରାନିୟମ ବ୍ୟବହାର ହୋଇଥିଲା ବୋଲି ପ୍ରଚାର କରାଯାଇଥିଲା । କଙ୍ଗୋର ସିଙ୍କଲବୱେ ୟୁରାନିୟମ ବାବଦରେ କେହି ନ ଜାଣିବା ଚାହୁଁଥିଲେ ଆମେରିକା ଓ ତାର ସହଯୋଗୀ । କିନ୍ତୁ ପରେ ଏହି ରହସ୍ୟ ପ୍ରଘଟ ହୋଇଯାଇଥିଲା ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କମ୍ୟୁନିଷ୍ଟ ସୋଭିଏତ ସଂଘ ମଧ୍ୟ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବେ ମୁଣ୍ଡ ଟେକିଲା । ପରମାଣୁ ବୋମା ନିର୍ମାଣ ପାଇଁ ସୋଭିଏତ ସଂଘ ବି ଉଦ୍ୟମ ଆରମ୍ଭ କଲା । ୟୁରାନିୟମ ସମୃଦ୍ଧକରଣ ପାଇଁ ଉନ୍ନତ ଜ୍ଞାନକୌଶଳ ବି ବାହାରିଲା । ତେଣୁ ଉନ୍ନତ ୟୁରାନିୟନ ପାଇଁ କଙ୍ଗୋର ସିଙ୍କଲବୱେ ଖଣିରେ ପାଶ୍ଚାତ୍ୟ ଶକ୍ତିମାନଙ୍କ ନିର୍ଭରଶୀଳତା କମ୍ ହେବାରେ ଲାଗିଲା । କିନ୍ତୁ ଏହି ଖଣି ଶୀତଳ ଯୁଦ୍ଧର ପ୍ରକ୍ସି ଗ୍ରାଉଣ୍ଡ୍ ଭାବେ ଉଭା ହେଲା । ଶୀତଳ ଯୁଦ୍ଧ ବେଳେ ଆମେରିକା କଙ୍ଗୋର ୟୁରାନିୟମ ଆଉ ଚାହୁଁ ନ ଥିଲା । ହେଲେ ପ୍ରତିଦ୍ୱନ୍ଦୀ ସୋଭିଏତ ସଂଘ ଓ ତାହାର ସହଯୋଗୀମାନେ ଯେଭଳି କଙ୍ଗୋର ୟୁରାନିୟମ ଉପରେ ଅଧିକାର ସାବ୍ୟସ୍ତ ନ କରିବେ, ସେଥିପାଇଁ ପଦକ୍ଷେପ ନେଇଥିଲା ଆମେରିକା । ଏପରିକି ସେଠାରେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଏକ ସରକାରକୁ ଗାଦିଚ୍ୟୁତ କରି ନିଜର କାଠ କଣ୍ଢେଇ ସରକାର ବସାଇଥିଲା ଆମେରିକା ।

୧୯୬୦ ମସିହାରେ ବେଲଜିୟମଠାରୁ କଙ୍ଗୋ ସ୍ୱାଧୀନତା ହାସଲ କଲା ପରେ ସିଙ୍କଲବୱେ ଖଣିକୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ପରମାଣୁ ବୋମା , ହୀରୋସୀମା ଓ ନାଗାସାକିର ଅଭୁଲା, ଅସରନ୍ତି ଯନ୍ତ୍ରଣା ସହ କଙ୍ଗୋ ସର୍ବଦା ଜଡିତ ହୋଇ ରହିବ ।

ଚାଣକ୍ୟ ନଗର,ଲାଂଜିପଲ୍ଲୀ
ବ୍ରହ୍ମପୁର, ୭୬୦୦୦୮
ମୋ-୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।

Comments are closed, but trackbacks and pingbacks are open.