କହ୍ନେୟା ଲାଲଙ୍କ ହତ୍ୟାକାରୀ ବିଜେପି ସଦସ୍ୟ !

ନୂଆଦିଲ୍ଲୀ: ଉଦୟପୁରର ଟେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ନେଇ ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀ ବିଜେପିର ଜଣେ ସକ୍ରିୟ ସଦସ୍ୟ ବୋଲି କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ ନେତା ତଥା ଦଳର ଗଣମାଧ୍ୟମ ତଥା ପ୍ରଚାର ବିଭାଗର ଅଧ୍ୟକ୍ଷ ପୱନ ଖେରା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛନ୍ତି। ପ୍ରମାଣ ଭାବେ ସେ ଏକ ଫଟୋ ଦେଖାଇଥିଲେ ଯେଉଁଥିରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କ ସହ ରିୟାଜ ଅଟାରୀକୁ ଦେଖିବାକୁ ମିଳୁଛି।

କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଏକ ଟ୍ୱିଟରେ ପୱନ ଖେରା କହିଛନ୍ତି ଯେ ଆମେ ବୁଝିପାରୁଛୁ ଯେ ଫେସବୁକରେ ସେୟାର ହୋଇଥିବା ଫଟୋ ଏକ ସାମାଜିକ କାର୍ଯ୍ୟକ୍ରମର ହୋଇପାରେ। କିନ୍ତୁ ଫେସବୁକ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ କହ୍ନେୟା ଲାଲଙ୍କ ହତ୍ୟାକାରୀ ଆତଙ୍କବାଦୀ ରିୟାଜ ଅଟାରୀ ବିଜେପିର ଜଣେ ସକ୍ରିୟ ସଦସ୍ୟ।

ଏହାପୂର୍ବରୁ ରିୟାଜ ଅଟାରୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର ହୋଇଥିଲା ଯେଉଁଥିରେ ସେ ରାଜସ୍ଥାନର ବିଜେପି ନେତାଙ୍କ ସହ ଥିଲେ।

ପୱନ ଖେରା ଦାବି କରିଛନ୍ତି ଯେ ରାଜସ୍ଥାନରେ ବିଜେପିର ଜଣେ ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ ଗୁଲାବ ଚନ୍ଦ୍ର କଟାରିଆ ଜୀଙ୍କର ଅନେକ କାର୍ଯ୍ୟକ୍ରମରେ ରିୟାଜ ଅଟାରୀ ଯୋଗଦେଉଥିଲେ। ଅନୁସନ୍ଧାନ ପରେ ଜଣାପଡିଛି ଯେ ଫେସବୁକରେ ବିଜେପିର ସଂଖ୍ୟାଲଘୁ ସେଲର ନେତା ଇରଶାଦ ଚୈନୱାଲା ଚାରି ବର୍ଷ ପୂର୍ବେ ତଥା ନଭେମ୍ବର ୩୦, ୨୦୧୮ରେ ଏକ ପୋଷ୍ଟ କରି ରିୟାଜ ଅଟାରୀ ତାଙ୍କ ଦଳର କର୍ମୀ ବୋଲି କହିଥଲେ।

ତେବେ ରାଜସ୍ଥାନ ବିଜେପିର ସଂଖ୍ୟାଲଘୁ ସେଲର ରାଜ୍ୟ ସଭାପତି ଏମ୍ ସାଦିକ ଖାନ କଂଗ୍ରେସର ଅଭିଯୋଗକୁ ଦୃଢ ଖଣ୍ଡନ କରିଛନ୍ତି।

ସାଦିକ ଖାନ କହିଛନ୍ତି ଯେ ବିଜେପି ହେଉଛି ବିଶ୍ୱର ସବୁଠୁ ବଡ ଦଳ ଏବଂ କୌଣସି ନେତାଙ୍କ ସହ ଫଟୋ ଉଠାଇ ଦେଲେ କେହି ପାର୍ଟିର ସଦସ୍ୟ ହୋଇଯିବେ ନାହିଁ ।

ସେ ଦାବି କରିଛନ୍ତି ଯେ ରିୟାଜ ଅଟାରୀ ତାଙ୍କ ଦଳର ସଦସ୍ୟ ନୁହଁନ୍ତି। ସେ ବୁଥରୁ ଜିଲ୍ଲା ପର୍ଯ୍ୟନ୍ତ କୌଣସି ସ୍ତରରେ ଦଳର ସଦସ୍ୟ ହୋଇନାହାଁନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଦୁଇଜଣ ମୁସଲମାନ ଯୁବକ ଉଦୟପୁରରେ ଥିବା ତାଙ୍କ ଦୋକାନରେ ପଶି ଟେଲର କହ୍ନେୟା ଲାଲଙ୍କୁ ଗଳାକାଟି ହତ୍ୟା କରିଥିଲେ। ତେବେ ଘଟଣାର ମାତ୍ର ତିନି ଘଣ୍ଟା ପରେ ପୋଲିସ ଉଭୟ ହତ୍ୟାକାରୀଙ୍କୁ ଧରିଥିଲା। ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ଯୋଗୁଁ କହ୍ନେୟା ଲାଲଙ୍କୁ ହତ୍ୟା କରାଯାଇଥିବା ଉଭୟ ଅଭିଯୁକ୍ତ ଏକ ଭିଡ଼ିଓ ଜାରି କରି କହିଥିଲେ ।

Comments are closed.